ପଶ୍ଚିମା-ଝଡ ପ୍ରଭାବରେ ଆଜି ୭ ଜିଲ୍ଲାକୁ ଘଡଘଡି ସହ ବର୍ଷା ସମ୍ଭାବନା
ଆଜି ମଧ୍ୟ ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିଛି । ଏହାସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ବର: ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ଓ ଏହାର ପାଶ୍ୱର୍ବର୍ତୀ ଅଞ୍ଚଳରେ ଆକାଶ ମେଘାଚ୍ଛନ ରହିବା ସହ ଗୁରୁବାର କିଛି ସ୍ଥାନରେ ବର୍ଷା ହୋଇଛି । ସକ୍ରିୟ ପଶ୍ଚିମା-ଝଡ଼ ପ୍ରଭାବରେ ମୟୂରଭଞ୍ଜର ଜାମଦାରେ ୨ ମିଲିମିଟର ଏବଂ ବହଳଦାରେ ୨ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ଆଜି ମଧ୍ୟ ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିଛି । ଏହାସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ଯେ, ସକ୍ରିୟ ପଶ୍ଚିମା ଝଡ ପ୍ରଭାବରେ କନ୍ଧମାଳ, ନୟାଗଡ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ, ବୌଦ୍ଧ ଏବଂ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ମଧ୍ୟ ଏଭଳି ପାଗ ଜାରି ରହିବ । ପରଦିନ ଠାରୁ ତାପମାତ୍ରା ବଢିବ ।
ଅନ୍ୟପଟେ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ହୋଇଛି। ଅଳ୍ପ କିଛି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବା ବେଳେ ବାକି ସ୍ଥାନଗୁଡ଼ିକରେ ତାପମାତ୍ରା ୩୫ ଡିଗ୍ରୀ ତଳେ ରହୁଛି। ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।












Click it and Unblock the Notifications