ଏହି ସବୁ ଜିଲ୍ଲାରେ ଆଗାମୀ ୬ଦିନରେ ପ୍ରବଳ ବର୍ଷା !
ରାଜ୍ୟରେ ଏବେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ୨୦ ତାରିଖରୁ ବର୍ଷା କମିବା ସହ ଖରାର ପ୍ରକୋପ ବଢିବା ନେଇ ଅନୁମାନ କରାଯାଉଥିଲା। ହେଲେ ଏବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରିଛି କି, ୨୦ ତାରିଖ ନୁହେଁ ୨୫ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିବ। ଆଜିଠୁ ପୁଣି ୨୫ ତାରିଖ ଯାଏଁ ରାଜ୍ୟକୁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆହୁରି ୬ ଦିନ ରାଜ୍ୟରେ ପ୍ରବଳ ଝଡ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆସନ୍ତାକାଲି ଅର୍ଥାତ୍ ୨୦ ତାରିଖ ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ଘଡ଼ଘଡ଼ି, କୁଆପଥର ସହ ପବନ ବହିବ। ପବନର ବେଗ ଘଣ୍ଟା ପିଛା ୫୦-୬୦ କିଲୋମିଟର ରହିବାର ସମ୍ଭାବନା ରହିଛି।
ସେହିପରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ଭିତରେ ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ରହିଛି। ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ଘଡ଼ଘଡ଼ି, କୁଆପଥର ସହ ଝଟକା ପବନର ବେଗ ୪୦ରୁ ୫୦ କିଲୋମିଟର ଘଣ୍ଟା ପିଛା ହେବାର ସମ୍ଭାବନା ରହିଛି।
ଅନ୍ୟପଟେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି, କୁଆପଥର ସହ ଝଟକା ପବନର ବେଗ ଘଣ୍ଟା ପିଛା ୩୦ରୁ ୪୦କିଲୋମିଟର ହେବାର ସମ୍ଭାବନା ରହିଛି।












Click it and Unblock the Notifications