ବିରୋଧୀ ବିଜେଡି ଓ କଂଗ୍ରେସକୁ ମୁକାବିଲା କରିବାକୁ ଆମେ ପ୍ରସ୍ତୁତ: ମୁକେଶ ମହାଲିଙ୍ଗ
ଗତକାଲି ବିଧାନସଭା ପରିସରରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭାରତୀୟ ଜନତା ପାର୍ଟିର ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ତରୁଣ ଚୁଗ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମାର, ସହ-ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ମନ୍ତ୍ରିମଣ୍ଡଳର ସଦସ୍ୟଗଣ ଏବଂ ସମସ୍ତ ବିଧାୟକଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଦଳର ସାଙ୍ଗଠନିକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି।

ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା । ବିରୋଧୀ ବିଜେଡି ଓ କଂଗ୍ରେସକୁ ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ।
ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ। ସରକାର ମ୍ୟାଜିକ୍ ନମ୍ୱରରେ ଚାଲେ କହିଲେ ମୁକେଶ ମହାଲିଙ୍ଗ। ବିଜୁ ଜନତା ଦଳ ଓ କଂଗ୍ରେସର ବିଚାରାଧାରା ସମ୍ପୂର୍ଣ୍ଣ ଅଲଗା । ଲୋକଙ୍କ ପ୍ରଗତିପଥରେ ଯାଉଛନ୍ତି ବିଜେପି ସରକାର କହିଲେ ମୁକେଶ ମହାଲିଙ୍ଗ । ବିଜେପି ବିଧାୟକ ଦଳ ବୈଠକରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ।
ବିଧାନସଭାର ଆଜି ଦ୍ବିତୀୟ ଦିନ । ପୂର୍ବ ଘୋଷଣା ଅନୁଯାୟୀ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ୍ ଦେଇଛି । କଂଗ୍ରେସର ୧୪ ବିଧାୟକ ଓ ସିପିଆଇଏମ୍ର ଜଣେ ବିଧାୟକ ଏଥିରେ ଦସ୍ତଖତ କରିଛନ୍ତି । ସଂଖ୍ୟାର ହିସାବ ଦେଖିଲେ ପ୍ରସ୍ତାବ କାଟ୍ ଖାଇବ, ଏଥିରେ ସନ୍ଦେହ ନାହିଁ। ତେବେ ଅନାସ୍ଥା ନୋଟିସ୍ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି।
ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ଏହା ଅଡ଼ୁଆରେ ପକାଇଛି। ଯଦିଓ ସରକାରଙ୍କର କିଛି କ୍ଷତି ହେବନି, ତେବେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଶାସକ ଦଳକୁ ଅକଳରେ ପକାଇ କଂଗ୍ରେସ ରାଜନୈତିକ ଫାଇଦା ନେବାର ଲକ୍ଷ୍ୟ ରଖିଛି।
କିଛି ଦିନ ପୂର୍ବରୁ ପିସିସି ସଭାପତି ଭକ୍ତଚରଣ ଦାସ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ବିଜେଡିର ସମର୍ଥନ ଲୋଡ଼ିଥିଲେ। ଏ ପ୍ରସ୍ତାବ ବି ଦେଇଥିଲେ ଯେ ଯଦି ଆମକୁ ସମର୍ଥନ ଦେବନାହିଁ, ତେବେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ତାହାକୁ ସମର୍ଥନ କରିବ। ବିଜେଡି ଏହି ଆହ୍ବାନକୁ ଗ୍ରହଣ କରି ନଥିଲା। ସମୟ ଆସିଲେ ନିଷ୍ପତ୍ତି ନିଆଯିବ ବୋଲି ଦଳର ବରିଷ୍ଠ ନେତାମାନେ କହିଥିଲେ। ଯେହେତୁ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିବାର ନଥିଲା, ତେଣୁ ପ୍ରଥମ ଦିନରେ ହିଁ କଂଗ୍ରେସ ଅନାସ୍ଥା ନୋଟିସ୍ ଦେଇଛି। ବିଧାନସଭା ସଚିବଙ୍କୁ ଭେଟି ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ଦଳର ବିଧାୟକମାନେ ଏହି ନୋଟିସ୍ ପ୍ରଦାନ କରିଛନ୍ତି।
ଅନାସ୍ଥା ପ୍ରସ୍ତାବ କାଟ୍ ଖାଇବା ଥୟ
ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଯିବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ଅନ୍ୟ ସଦସ୍ୟମାନେ ବିଜେଡି ବିଧାୟକମାନଙ୍କୁ ଭେଟିଥିଲେ। ସେମାନେ ବିଧାନସଭା ପରିସରରେ ଥିବା ବିରୋଧୀ ଦଳ ନେତାଙ୍କ ଚାମ୍ବରକୁ ଯାଇଥିଲେ। ସେଠାରେ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ଉପସ୍ଥିତ ଥିଲେ। କଂଗ୍ରେସ ବିଧାୟକମାନେ ତାଙ୍କୁ ଅନାସ୍ଥା ସମ୍ପର୍କରେ ଅବଗତ କରିବା ସହ ସମର୍ଥନ କରିବାକୁ ନିବେଦନ କରିଥିଲେ। ଦଳୀୟ ବୈଠକରେ ଏ ନେଇ ଆଲୋଚନା କରି ଜଣାଯିବ ବୋଲି ଶ୍ରୀ ଦେବ କହିଥିଲେ।












Click it and Unblock the Notifications