ପାଣି କମିଲା, ଦୁର୍ଦ୍ଦଶା ବଢ଼ିଲା: ୪ ବ୍ଲକ୍ର ୧୮ ହଜାରରୁ ଅଧିକ ପ୍ରଭାବିତ
ସୁବର୍ଣ୍ଣରେଖା ନଦୀରେ ଚଳିତବର୍ଷର ପଞ୍ଚମ ବନ୍ୟା, ଜଳକା ନଦୀରେ ଚତୁର୍ଥ ବନ୍ୟା ଉତ୍ତର ବାଲେଶ୍ବରବାସୀଙ୍କ ଦୁର୍ଦ୍ଦଶା ବଢ଼ାଇଛି। ମାତ୍ର ଦେଢ଼ମାସ ମଧ୍ୟରେ ଲଗାତାର ବନ୍ୟା ନିକଟ ଅତୀତରେ ଆସିନଥିଲା।
ସୋମବାର ସନ୍ଧ୍ୟା ସୁଦ୍ଧା ଉଭୟ ସୁବର୍ଣ୍ଣରେଖା ଓ ଜଳକା ନଦୀରେ ଜଳସ୍ତର ବେଶ୍ ହ୍ରାସ ପାଇଛି। ଉଭୟ ନଦୀରେ ସତର୍କସଙ୍କେତଠାରୁ ତଳେ ବନ୍ୟାଜଳ ପ୍ରବାହିତ ହେଉଛି। ରାଜଘାଟଠାରେ ସତର୍କସଙ୍କେତ ୯.୪୫ ମିଟର ଥିବାବେଳେ ଏଠାରେ ୯.୧୫ ମିଟର, ଜଳକାରେ ସତର୍କସଙ୍କେତ ୬.୦୦ ମିଟର ଥିବାବେଳେ ୫.୯୬ ମିଟରରେ ଜଳ ପ୍ରବାହିତ ହେଉଛି। ପ୍ରଭାବିତ ବ୍ଲକ୍ ଗୁଡ଼ିକରେ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ବନ୍ୟା ମୁକାବିଲା ଦାୟିତ୍ୱ ପ୍ରଦାନ କରାଯାଇଛି। ଆଜି ଅତିରିକ୍ତ ଏସ୍ଆର୍ସି ମନୀଷ ଅଗ୍ରୱାଲଙ୍କ ସମେତ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ,ଏସ୍ପି ରାଜପ୍ରସାଦ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ସଠିକ୍ କ୍ଷୟକ୍ଷତିର ଆକଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ, ଜଳସ୍ତର କମିଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ଲୋକଙ୍କ ଘରେ ପାଣି ପଶିଥିବାରୁ ସେମାନଙ୍କୁ ବାଧ୍ୟହୋଇ ଆଶ୍ରୟସ୍ଥଳୀରେ ରହିବାକୁ ପଡ଼ୁଛି। ଗତ ରବିବାର ବିଳମ୍ବିତ ରାତି ସୁଦ୍ଧା ଉତ୍ତର ବାଲେଶ୍ବରର ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକ୍ର ୨୫୪୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସୋମବାର ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା ଦ୍ବିଗୁଣିତ ହୋଇଛି। ବନ୍ୟା ଆଶ୍ରୟସ୍ଥଳୀରେ ୫୧୯୨ ଜଣ ଲୋକଙ୍କୁ ରଖାଯାଇଛି।
୧୬ଟି ଗ୍ରାମ ପଞ୍ଚାୟତର ୪୫ଟି ଗ୍ରାମର ୧୮ ହଜାରରୁ ଅଧିକ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ବାଲିଆପାଳର ସର୍ବାଧିକ ୮ଟି ପଞ୍ଚାୟତ ଅନ୍ତର୍ଗତ ୨୬ ଗ୍ରାମର ୪୨୩୦ ଜଣ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଳେଶ୍ବରର ୪ ପଞ୍ଚାୟତର ୧୦ ଗ୍ରାମର ୪୩୦ ଲୋକ, ଭୋଗରାଇର ୩ ପଞ୍ଚାୟତର ୭ ଗ୍ରାମର ୩୮୨ ଜଣ, ବସ୍ତାର ଗୋଟିଏ ପଞ୍ଚାୟତର ୨ଟି ଗ୍ରାମର ୧୫୦ ଲୋକ ସ୍ଥାନାନ୍ତର ହୋଇଛନ୍ତି। ୧୬ଟି ଆଶ୍ରୟସ୍ଥଳୀରେ ସେମାନଙ୍କୁ ରଖାଯାଇଛି। ତେବେ ବେସରକାରୀ ଭାବେ ଏହାଠାରୁ ଢେର୍ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ୧୭ଟି ଓଡ୍ରାଫ୍, ୧୩ଟି ଅଗ୍ନିଶମ ଟିମ୍ ବନ୍ୟାଞ୍ଚଳରେ ମୁତୟନ ରହିଛନ୍ତି। କ୍ଷୟକ୍ଷତିର ଆକଳନ କରି ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।












Click it and Unblock the Notifications