ଆସନ୍ତାକାଲି ଝାରସୁଗୁଡା ଉପନିର୍ବାଚନ ପାଇଁ ପଡିବ ଭୋଟ୍, ସକାଳ ୭ଟାରୁ ଆରମ୍ଭ ହେବ ଭୋଟିଂ
ଝାରସୁଗୁଡା: ଆସନ୍ତାକାଲି କାଲି ଝାରସୁଗୁଡା ଉପନିର୍ବାଚନ ପାଇଁ ପଡିବ ଭୋଟ୍ । ଝାରସୁଗୁଡା ଇଂଜିନିୟରିଂ କଲେଜରୁ ପୁଲିଂ ପାର୍ଟିକୁ ସମସ୍ତ ବୁଥକୁ ପଠାସରିଛି । ଏହି ଉପନିର୍ବାଚନ ପାଇଁ ଏଥର ୨୫୩ଟି ବୁଥ କରାଯାଇଛି । ସେଥିମଧ୍ୟରୁ ୨୬ଟି ବୁଥକୁ ପିଙ୍କ୍ ବୁଥ ଏବଂ ୪୦ଟି ମଡେଲ ବୁଥ କରାଯାଇଛି ।
ତେବେ ଝାରସୁଗୁଡା ଉପନିର୍ବାଚନରେ ପ୍ରଥମ କରି ସବୁ ବୁଥରେ ହେବ ୱେବକାଷ୍ଟିଂ । ଜିଲ୍ଲାପାଳ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସିଧାସଳଖ ମତଦାନ କେନ୍ଦ୍ର ଦେଖି ପାରିବେ ।

ଏହି ଉପନିର୍ବାଚନରେ ଭୋଟ ଦେବା ପାଇଁ ୨,୨୧,୭୧୯ ଭୋଟର ଅଛନ୍ତି । ଯେଉଁଥିରେ ୧,୧୦,୬୧୯ ଜଣ ପୁରୁଷ ଏବଂ ୧,୧୧,୦୩୭ ଜଣ ମହିଳା ଏବଂ ୬୩ ଜଣ ତୃତୀୟ ଲିଙ୍ଗ ଏବଂ ୨୪୯ ଚାକିରୀଆ ଭୋଟର ଅଛନ୍ତି। ସେହିପରି ୨୫୩୪ ଭିନ୍ନକ୍ଷମ ଭୋଟର ଅଛନ୍ତି । ଏମାନେ ଯେପରି ସୁରକ୍ଷିତ ଭାବେ ଭୋଟ ଦେଇପାରିବେ ସେ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ କୁମାର ବଂଶଲଙ୍କ ଉଚ୍ଚସ୍ତରୀୟ ସମୀକ୍ଷା । ଗୁଇନ୍ଦା ନିର୍ଦ୍ଦେଶକ, ଅତିରିକ୍ତ ପୋଲିସ ଡିଜି ଆଇନ ଓ ଶଙ୍ଖଳା ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା । ଝାରସୁଗୁଡ଼ା ଏସପିଙ୍କ ସହ ବି ନିର୍ବାଚନ ନେଇ କରିଛନ୍ତି ସମୀକ୍ଷା । ୬ କମ୍ପାନୀ ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସଙ୍କ ସହ ଓଡିଶା ପୋଲିସର ୧୯ ପ୍ଳାଟୁନ ଫୋର୍ସ ମୁତୟନ ରହିବେ । ୧୫୦ ରୁ ଅଧିକ ହୋମଗାର୍ଡ, ୩୦୦ କନେଷ୍ଟବଳ, ୧୦୦ ରୁ ଅଧିକ ବଛା ବଛା ଅଫିସର ୧୪୪ ବୁଥରେ ପାରାମିଲିଟାରୀ ଫୋର୍ସ ମୁତୟନ ହେବେ । ୨୫ ଟି ମୋବାଇଲ ସ୍କ୍ବାର୍ଡ ରେ ଜଣେ ଅଫିସର ଏବଂ ପାରାମିଲିଟାରୀ ଫୋର୍ସ ରହିବେ । ସେମାନଙ୍କୁ ସୁପରଭିଜନ କରିବା ପାଇଁ ୧୫ ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମକୁ ଜଣେ ଆଇଆଇସି ରାଙ୍କର ଅଧିକ ନେତୃତ୍ବ ନେବେ । ସମସ୍ତଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ୫ ଜଣ ଡିଏସପି ରାଙ୍କର ଅଧିକାରୀ ନିୟୋଜିତ ହୋଇଛନ୍ତି । ଜିଲ୍ଲାର ସବୁ ବର୍ଡରକୁ ସିଲ କରାଯାଇ ଯାଞ୍ଚ ବ୍ୟବସ୍ଥା କଡାକଡି କରାଯାଇଛି।
ସେହିଭଳି ମଡେଲ ବୁଥରେ ବୟସ୍କ, ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତିକ୍ଷାଳୟ, ଥଣ୍ଡା ପାନୀୟ ବ୍ୟବସ୍ଥା, ଦହି, ଲସି ଏବଂ ଲେମ୍ବୁପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେପଟେ ଉପନିର୍ବାଚନ ପାଇଁ ଝାରସୁଗୁଡା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିସହିତ ୧୧୮ଟି ଅଟୋ ଏବଂ ୨୫୩ଟି ହୁଇଲ ଚ୍ୟାୟାର ଏବଂ ସ୍ବେଚ୍ଛାସେବୀଙ୍କୁ ମୁତୟନ କରାଯାଇଛି।
ପ୍ରଥମେ ମକ୍ ପୋଲ୍ ସକାଳ ୫.୩୦ ରେ ଆରମ୍ଭ ହେବ ଏବଂ ତା'ପରେ ମତଦାନ ପକ୍ରିୟା ସକାଳ ୭.୦୦ଟା ରେ ଆରମ୍ଭ ହେବ। ଜନସାଧାରଣଙ୍କ ସୂଚନା ପାଇଁ ଦୁଇ ଘଣ୍ଟିଆ ଭୋଟିଂ ପ୍ରତିଶତ ରିପୋର୍ଟ ପ୍ରକାଶ ପାଇବ ।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନରେ ମୋଟ ୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜେଡିରୁ ଦୀପାଳି ଦାସ, କଂଗ୍ରେସରୁ ତରୁଣ ପାଣ୍ଡେ ଓ ବିଜେପିରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହୋଇଛନ୍ତି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ୩ ନୂଆ ଚେହେରା ଉପ-ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡିଛି । ନବ ଦାସଙ୍କ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଛି ।












Click it and Unblock the Notifications