Get Updates
Get notified of breaking news, exclusive insights, and must-see stories!

ସୁନ୍ଦରଗଡ଼ ଜିଲ୍ଲାରେ ୨୮୭ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏକକାଳୀନ ଯୋଡ଼ିପାରୁଛି ‘ଭର୍ଚୁଆଲ କ୍ଲାସ’

୨୦୧୯ରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ବିନିଯୋଗ କରି ଏହି ‘ଭର୍ଚୁଆଲ କ୍ଲାସ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ଅଧୀନରେ ଭି-ସାଟ୍ ଲିଙ୍କ୍ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୭୦ଟି ସ୍କୁଲକୁ ଯୋଡ଼ା ଯାଇଥିଲା।

ସୁନ୍ଦରଗଡ଼: ଜଣେ ଶିକ୍ଷକ ଗୋଟିଏ ଶ୍ରେଣୀଗୃହରେ ରହି ହୁଏତ ୨୫ରୁ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥାନ୍ତି। କିନ୍ତୁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଯେତେବେଳେ ସେହି ଶିକ୍ଷକଙ୍କୁ ଶତାଧିକ ସ୍କୁଲରେ ଥିବା ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଯୋଡ଼ି ଦିଆଯାଏ ସେ ଏକ ସମୟରେ ୫ରୁ ୧୦ ହଜାର ଛାତ୍ରଛାତ୍ରୀଙ୍କୁ ବି ପଢ଼ାଇ ପାରନ୍ତି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଚଲାଇଥିବା 'ଭର୍ଚୁଆଲ କ୍ଲାସ' ଏହାର ଏକ ଉଦାହରଣ ।

Sundargarh

୨୦୧୯ରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ବିନିଯୋଗ କରି ଏହି 'ଭର୍ଚୁଆଲ କ୍ଲାସ' କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ଅଧୀନରେ ଭି-ସାଟ୍ ଲିଙ୍କ୍ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୭୦ଟି ସ୍କୁଲକୁ ଯୋଡ଼ା ଯାଇଥିଲା। ଆଜି ସେହି ସଂଖ୍ୟା ୨୮୭ଟି ସ୍କୁଲର ୫୭୨ଟି କ୍ଲାସରୁମକୁ ସଂପ୍ରସାରିତ ହୋଇପାରିଛି। ଏହା ଫଳରେ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଶେଷ ଉପକୃତ ହେଉଛନ୍ତି ।

''ଭର୍ଚୁଆଲ କ୍ଲାସ ମାଧ୍ୟମରେ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀମାନେ ଷ୍ଟୁଡିଓରେ ଥାଇ ଆମକୁ ଭଲଭାବେ ପାଠ ବୁଝାଉଛନ୍ତି। ସେମାନେ ବିଭିନ୍ନ ଚିତ୍ର ଏବଂ ଭିଡିଓ ଦେଖାଇ ପାଠ ପଢ଼ାଉଥିବାରୁ ଅଧିକ ଆଗ୍ରହ ଲାଗୁଛି। ପାଠକୁ ନେଇ ଆମ ମନରେ ଯାହା ପ୍ରଶ୍ନ ରହୁଛି ଆମେ ସେଠି ସିଧାସଳଖ ତାଙ୍କୁ ପଚାରି ତା'ର ଉତ୍ତର ପାଇପାରୁଛୁ'', କହନ୍ତି ସବଡେଗା ବ୍ଲକର ଛତାସର୍ଗି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ମୋନାଲିସା ବାଗ୍।

''ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଏବେ ବିଜ୍ଞାନ, ଗଣିତ ଏବଂ ଭୂଗୋଳ ଆଦି ବିଷୟକୁ ପାୱାରପଏଣ୍ଟ ବ୍ୟବହାର କରି ପଢ଼ା ଯାଉଛି। ଏହି ନୂଆ ଧାରା ଫଳରେ ସେମାନଙ୍କ ମଧ୍ୟରେ ପାଠ ପ୍ରତି ଆଗ୍ରହ ବଢ଼ି ପାରିଛି'', କହନ୍ତି ବଡ଼ଗାଁ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁନିତା ଲାକ୍ରା।

Sundargarh

ଭର୍ଚୁଆଲ କ୍ଲାସ କାର୍ଯ୍ୟକ୍ରମର ପରିଚାଳନା ପାଇଁ ସୁନ୍ଦରଗଡ଼ଠାରେ ଏକ ସ୍ୱତନ୍ତ୍ର ଷ୍ଟୁଡିଓ ସ୍ଥାପନ କରାଯାଇଛି। ଭି-ସାଟ୍ ଲିଙ୍କ୍ ଜରିଆରେ ଏହି ଷ୍ଟୁଡିଓକୁ ସିଧାସଳଖ ଜିଲ୍ଲାର ବିଭିନ୍ନ ସ୍କୁଲର ସ୍ମାର୍ଟ କ୍ଲାସରୁମ ସହିତ ଯୋଡ଼ି ଦିଆଯାଇଛି। ଫଳରେ ଜିଲ୍ଲାର ତାଲିମପ୍ରାପ୍ତ ଓ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀମାନେ ଭର୍ଚୁଆଲ ଷ୍ଟୁଡିଓରେ ଉପସ୍ଥିତ ରହି ଲାଇଭ୍ କ୍ଲାସ୍ ମାଧ୍ୟମରେ ଏକ ସମୟରେ ଶତାଧିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇପାରୁଛନ୍ତି ।

''ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଭର୍ଚୁଆଲ କ୍ଲାସ କାର୍ଯ୍ୟକ୍ରମ ଶିକ୍ଷାଦାନ କ୍ଷେତ୍ରରେ ଏକ ନୂଆ ଧାରା ଯୋଡ଼ିପାରିଛି। ବୈଷୟିକ ଜ୍ଞାନକୌଶଳ ପ୍ରୟୋଗକରି ଏଠଶରେ ଶିକ୍ଷାଦାନ ପ୍ରକ୍ରିୟାକୁ ଯେଭଳି ବ୍ୟାପକ କରାଯାଇପାରିଛି ତାହା ସହରାଞ୍ଚଳ ସହିତ ଗ୍ରାମାଞ୍ଚଳର ସରକାରୀ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଉପାଦେୟ ହୋଇପାରିଛି। ଏହି ଅଭିନବ କାର୍ଯ୍ୟକ୍ରମ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିପାରିଛି'', କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପଧାନ।

ଭର୍ଚୁଆଲ କ୍ଲାସ ବ୍ୟବସ୍ଥା ସହିତ ଜିଲ୍ଲାର ବିଭିନ୍ନ ସରକାରୀ ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲ ଏବଂ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟକୁ ଯୋଡ଼ା ଯାଉଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦକ୍ଷ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଭର୍ଚୁଆଲ୍ ଷ୍ଟୁଡିଓକୁ ଡାକି ଲାଇଭ୍ କ୍ଲାସ କରାଯାଉଛି। ସେମାନେ ଜିଲ୍ଲାର ବିଭିନ୍ନ ସ୍କୁଲରେ ବସିଥିବା ଛାତ୍ରଛାତ୍ରୀମାନଙ୍କୁ ବେଶ୍ ଆକର୍ଷଣୀୟ ଢଙ୍ଗରେ ଗଣିତ, ବିଜ୍ଞାନ, ଇଂରାଜୀ, ଓଡ଼ିଆ, ଇତିହାସ ଓ ଭୂଗୋଳ ଆଦି ବିଷୟ ପଢ଼ାଉଛନ୍ତି ।

Sundargarh

ଏହି ଭର୍ଚୁଆଲ କ୍ଲାସ ବର୍ତ୍ତମାନ ସପ୍ତାହରେ ୫ ଦିନ - ସୋମବାରଠାରୁ ଶୁକ୍ରବାର ଯାଏଁ ଚାଲୁଛି। ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଦିନ ଦୁଇଟି ଲେଖାଏଁ ପିରିୟଡରେ ପାଠପଢ଼ା ଯାଉଛି । ସେହିପରି ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନିୟମିତ ବ୍ୟବଧାନରେ ପାଳିକରି ବିଭିନ୍ନ ବିଷୟରେ ଶିକ୍ଷାଦାନ କରାଯାଉଛି ।

ରାଜ୍ୟ ସରକାରଙ୍କ '୫ଟି' ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ସରକାରୀ ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କରାଯାଉଛି । ଫଳରେ ରୂପାନ୍ତରିତ ହାଇସ୍କୁଲଗୁଡ଼ିକରେ ଥିବା ସ୍ମାର୍ଟ କ୍ଲାସରୁମକୁ ଏବେ ଭର୍ଚୁଆଲ କ୍ଲାସ ପାଇଁ ସହଜରେ ବ୍ୟବହାର କରାଯାଇପାରୁଛି ।

ଭର୍ଚୁଆଲ ଷ୍ଟୁଡିଓରେ ସ୍ମାର୍ଟ ବୋର୍ଡ ମାଧ୍ୟମରେ ପିପିଟି ତଥା ଭିଡିଓ ଏବଂ ଆନିମେସନ ବ୍ୟବହାର କରି ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ନିଜ ନିଜ ଶ୍ରେଣୀଗୃହରେ ବସି ସେଠାରେ ଥିବା ସ୍ମାର୍ଟ ବୋର୍ଡ ମାଧ୍ୟମରେ ଭର୍ଚୁଆଲ ଷ୍ଟୁଡିଓରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଯୋଡ଼ି ହେଉଛନ୍ତି। ଏହି ବ୍ୟବସ୍ଥାରେ ଉଭୟ ପଟୁ କଥାବାର୍ତ୍ତା କରିବା ଲାଗି ସୁବିଧା କରାଯାଇଥିବାରୁ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କୁ ପ୍ରଶ୍ନ ପଚାରି ତା'ର ଉତ୍ତର ପାଇପାରୁଛନ୍ତି ।

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ ବିଜ୍ଞାନାଗାର କରାଯାଇଛି। ସେଠାରେ ବିଭିନ୍ନ ଆଧୁନିକ ବୈଜ୍ଞାନିକ ପ୍ରୟୋଗ ଲାଗି ସୁବିଧା ରହିଛି। ଭର୍ଚୁଆଲ କ୍ଲାସ ମାଧ୍ୟମରେ ଜିଲ୍ଲାର ଦକ୍ଷ ବିଜ୍ଞାନ ଶିକ୍ଷକ/ଶିକ୍ଷୟିତ୍ରୀମାନେ ସୁନ୍ଦରଗଡ଼ ଷ୍ଟୁଡିଓରେ ରହି ବିଜ୍ଞାନର ବିଭିନ୍ନ ପ୍ରକାର ପ୍ରୟୋଗ କରି ଦେଖାଉଛନ୍ତି। ଏହା ଫଳରେ ଏକ ସମୟରେ ଜିଲ୍ଲାର ଶତାଧିକ ସ୍କୁଲର ଛାତ୍ରଛାତ୍ରୀମାନେ ତାହା ଦେଖି ଶିଖିପାରୁଛନ୍ତି। ତା'ଛଡ଼ା ସଂପୃକ୍ତ ସ୍କୁଲର ବିଜ୍ଞାନ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଏଥିରୁ ଶିଖି ନିଜ ନିଜ ସ୍କୁଲରେ ପିଲାଙ୍କୁ ସେଗୁଡ଼ିକର ପ୍ରୟୋଗ କରି ଦେଖାଉଛନ୍ତି।

ସୁଯୋଗ ପାଇଲେ ଜଣେ ବ୍ୟକ୍ତିର ଜ୍ଞାନର ପରିସୀମା ସଂପ୍ରସାରିତ ହେବା ସହ ତାହା ଅନ୍ୟମାନଙ୍କୁ ସୁଫଳ ପ୍ରଦାନ କରିଥାଏ। ସୁନ୍ଦରଗଡ଼ ଜିଲ୍ଲାରେ ଭର୍ଚୁଆଲ କ୍ଲାସ ବ୍ୟବସ୍ଥା ସେହି କଥାକୁ ବାସ୍ତବରେ ପରିଣତ କରିପାରିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+