‘କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବ ନାହିଁ'
ଭୁବନେଶ୍ୱର: ଗଞ୍ଜାମ ଜିଲାରେ ପ୍ରାକ ନିର୍ବାଚନ ହିଂସାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଦେଇଛନ୍ତି ବୟାନ । ରାଜ୍ୟରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି । କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଭାରତ ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଶୂନ୍ୟ ସହନଶୀଳତା ନୀତି ଅତ୍ୟନ୍ତ ସ୍ପଷ୍ଟ ବୋଲି ସେ ସୂଚିତ କରିବା ସହ ଗଞ୍ଜାମ ଜିଲାରେ ପ୍ରାକନିର୍ବାଚନୀ ହିଂସାକୁ ଆୟତ୍ତ କରିବା ପାଇଁ ତୁରନ୍ତ ବିଧି ସମ୍ମତ ପଦକ୍ଷେପ ଗ୍ରହଣ କରି ଅତି ଶ୍ରୀଘ୍ର ସେଠାରେ ଶାନ୍ତି ପ୍ରତିଷ୍ଠା ପାଇଁ ଗଞ୍ଜାମ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଖଲ୍ଲିକୋଟରେ ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି । ସୋସିଆଲ ମିଡ଼ିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖଲ୍ଲିକୋଟ ଅଞ୍ଚଳରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ଦୁଃଖଦ । ମୁଁ ଏନେଇ ଗଭୀର ବିବ୍ରତ ଓ ଦୁଃଖିତ । ଏଭଳି ହିଂସା ଘଟଣାର ଆମ ଗଣତନ୍ତ୍ର ଏବଂ ନାଗରିକ ସମାଜରେ କୌଣସି ସ୍ଥାନ ନାହିଁ । ମୁଁ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛି । ନିଜ ପ୍ରିୟଜନଙ୍କୁ ହରାଇଥିବା ପୀଡ଼ିତ ପରିବାରଙ୍କୁ ମୋର ଗଭୀର ସମବେଦନା । ଆହତମାନଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି । ମୁଁ ନିଶ୍ଚିତ ଯେ ଏହି ଜଘନ୍ୟ ଅପରାଧର ଅପରାଧୀଙ୍କ ବିରୋଧରେ ପୁଲିସ ଦୃଢ଼ ତଥା ଦୃଷ୍ଟାନ୍ତମୁଳକ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବ ।












Click it and Unblock the Notifications