ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ଼, ଛାତ ଉପରେ ଲୁଚାଇଥିଲେ ପେଟି ପେଟି ଟଙ୍କା
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସର ଚଢ଼ାଉ କରିଛି । ଭୁବନେଶ୍ୱର କାନନ ବିହାର ଘର ଛାତ ଉପରୁ ପଡୋଶୀ ଛାତକୁ ଫିଙ୍ଗି ଦିଆଯାଇଥିଲା ପେଟି ପେଟି ଟଙ୍କା ।

ଏକକାଳୀନ ୯ ଟି ସ୍ଥାନରେ ଚଢ଼ାଉ ହୋଇଛି । ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ବେଳେ ଗଣତି ପ୍ରକ୍ରିୟା ଜାରି ରହିଛି । ୫୦୦ ଟଙ୍କିଆ ନୋଟ ଭର୍ତ୍ତି ୬ଟି ପେଟ ଜବତ ହୋଇଛି । ଟଙ୍କା ଗଣା ମେସିନ ଆଣି ଗଣା ହେଉଛି ବିଡ଼ା ବିଡ଼ା ଟଙ୍କା ।
ଭିଜିଲାନ୍ସ ବିଭାଗର ୯ ଟି ଟିମ ପ୍ରଶାନ୍ତ ରାଉତଙ୍କ ନବରଙ୍ଗପୁର ସରକାରୀ ବାସଭବନ ,କାର୍ଯ୍ୟାଳୟ ସହ ଭଦ୍ରକରେ ନିଜ ବାସ ଭବନ ଓ ଭୁବନେଶ୍ୱର ସ୍ଥିତ କାନନ ବିହାରର ଏକ ଘରେ ରେଡ଼ ଚାଲିଛି । ଭିଜିଲାନ୍ସ ଟିମ୍ ଚଢାଉ କରିବା ପାଇଁ ଆସିବା ବେଳେ ତରବରିଆ ଭାବେ ଏହି ଟଙ୍କା ଭର୍ତ୍ତି ପେଟି ଗୁଡିକ ପ୍ରଶାନ୍ତ ରାଉତଙ୍କ ଘରକୁ ଲାଗି ରହିଥିବା ଆଉ ଏକ ଘର ଛାତ ଉପରକୁ ଫିଙ୍ଗି ଦିଆଯାଇଥିଲା । ଏହି ସବୁକୁ ଜବତ କରିଛି ଭିଜିଲାନ୍ସ । ତେବେ ପଡୋଶୀ ଘର ସଦସ୍ୟ ଏନେଇ କିଛି ସ୍ପଷ୍ଟ ଉତ୍ତର ରଖିପାରି ନାହାନ୍ତି ଯେ ଟଙ୍କା କେଉଁଠୁ ଆସିଲା ।
ସୂଚନା ଅନୁଯାୟୀ, ପ୍ରଶାନ୍ତ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡ଼ିଓ ଥିବା ସମୟରେ ଜିରିପାଣି ପଞ୍ଚାୟତରେ ୧୧ ଲକ୍ଷ ଟଙ୍କାର ଏକ ପ୍ରୋଜେକ୍ଟର ବିଲ କରେଇ ଦେବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ। ଏ ମାମଲା ସହ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଶ୍ରୀ ରାଉତଙ୍କ ନାଁ ରେ ଅନେକ ଅଭିଯୋଗ ଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡ଼ିଛି ।












Click it and Unblock the Notifications