ଦେଢ଼ ବର୍ଷରେ ୨୦ ପୋଲିସଙ୍କୁ ବାନ୍ଧିଛି ଭିଜିଲାନ୍ସ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ
ଦେଢ଼ ବର୍ଷରେ ୨୦ ଜଣ ପୋଲିସ ଅଧିକାରୀଙ୍କୁ ବାନ୍ଧିଛି ଭିଜିଲାନ୍ସ। ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୭୧ ଜଣ ସରକାରୀ କର୍ମଚାରୀ ବିଭିନ୍ନ ମକଦ୍ଦମାରେ ଗିରଫ ହୋଇଛନ୍ତି। ୧୭୪ ଜଣ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଥିବା ବେଳେ ୩୩ ଜଣ ଚାକିରିରୁ ବହିଷ୍କୃତ ହେଇଛନ୍ତି। ୬୫ ଜଣ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଧାନସଭାର ଚାଲିଥିବା ଶୀତ ଅଧିବେଶନ ଆଜି ଦଶମ ଦିନରେ ପହଞ୍ଚିଛି । ଗୃହ କାର୍ଯ୍ୟ ଆରମ୍ଭରୁ ଆଜିର ବାତାବରଣ ବେଶ୍ ସ୍ୱାଭାବିକ ରହିଥିବା ଦେଖିବାକୁ ମିଳିଛି । ବିଶେଷକରି ଆଜିର ପ୍ରଶ୍ନକାଳ କାର୍ଯ୍ୟକ୍ରମ କୌଣସି ବାଧାବିଘ୍ନ ନ ଥାଇ ସୁରୁଖୁରୁରେ ଚାଲିଛି । ବିଧାୟକମାନେ ରାଜ୍ୟର ବିଭିନ୍ନ ମୌଳିକ ସମସ୍ୟା ଉପରେ ପ୍ରଶ୍ନ କରୁଛନ୍ତି ଏବଂ ବିଭାଗୀୟ ମନ୍ତ୍ରୀମାନେ ଏହାର ଯଥାଯଥ ଉତ୍ତର ରଖୁଛନ୍ତି ।
ତେବେ ଆଜିର ଦିନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଆଜି ଗୃହ, ଅର୍ଥ, ସ୍ୱାସ୍ଥ୍ୟ, ସାଧାରଣ ପ୍ରଶାସନ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଭଳି ପ୍ରମୁଖ ବିଭାଗଗୁଡ଼ିକର ପ୍ରଶ୍ନକାଳ ରହିଛି । ବିରୋଧୀ ଦଳର ସଦସ୍ୟମାନେ ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟସେବା ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ନେଇ ସରକାରଙ୍କୁ ଘେରିବା ପାଇଁ ପୂରା ପ୍ରସ୍ତୁତ ରହିଛନ୍ତି । ଫଳରେ ଆଜି ମଧ୍ୟ ଅପରାହ୍ନ ଅଧିବେଶନ ସରଗରମ ରହିବାର ସମ୍ଭାବନା ରହିଛି । ଆଜି ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ମଧ୍ୟ ବିସ୍ତୃତ ଆଲୋଚନା କରାଯିବ ।
ଆଇନ ପ୍ରଣୟନ ଦୃଷ୍ଟିରୁ ଆଜିର ଦିନର ବିଶେଷ ମହତ୍ତ୍ୱ ରହିଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ବିଧାନସଭାରେ 'ସରକାରୀ ଜମି ବନ୍ଦୋବସ୍ତ (ସଂଶୋଧନ) ନିୟମାବଳୀ-୨୦୨୫' ଉପସ୍ଥାପନ କରିବେ, ଯାହା ଜମିଜମା ସଂକ୍ରାନ୍ତୀୟ ନିୟମରେ ପରିବର୍ତ୍ତନ ଆଣିପାରେ । ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓଡ଼ିଶା କୃଷି ଶିଳ୍ପ ନିଗମ ଲିମିଟେଡ୍ର ୨୦୨୩-୨୪ ଆର୍ଥିକ ବର୍ଷର ବାର୍ଷିକ ରିପୋର୍ଟ ଗୃହରେ ଦାଖଲ କରିବେ । ମୋଟାମୋଟି ଭାବେ ଆଜିର ଅଧିବେଶନରେ ସରକାରୀ କାର୍ଯ୍ୟ ଏବଂ ବିରୋଧୀଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।












Click it and Unblock the Notifications