ଆଉ ନାହାନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି
ଆଉ ନାହାନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । କିଛି ଦିନ ହେଲା ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ।

ସୂଚନା ଅନୁସାରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ ହୋଇ କିଛି ଦିନ ହେବ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଶନିବାର ଡାକ୍ତରଙ୍କ ପରାମର୍ଶ ଯୋଗେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ତେବେ ଆଜି ତାଙ୍କର ମୃତ୍ୟୁ ଘଟିଛି ।
ସୂଚନା ଥାଉକି ୧୯୭୭ ମସିହାରେ ପ୍ରଥମ ସିନେମା 'ଅଭିମାନ'ରୁ କ୍ୟାରିଅର ଆରମ୍ଭ କରିଥିଲେ । ଦୀର୍ଘଦନ ଧରି ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ଥିଲେ ଉତ୍ତମ । ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ । ଏପିରିକି ନିଖୁଣ ଅଭିନୟ ଲାଗି ସେ ରାଜ୍ୟ ଚଳଚ୍ଚତ୍ରି ପୁରସ୍କାର, ଜୟଦେବ ପୁରସ୍କାର ପରି ଅନେକ ପୁରସ୍କାର ହାତେଇଥିଲେ । ତେବେ ଉତ୍ତମଙ୍କ ଅଭିନୀତ ଦଣ୍ଡା ବାଳୁଙ୍ଗା ତାଙ୍କୁ ଘରେ ଘରେ ବେଶ୍ ପରିଚିତ କରିଥିଲା । ୧୯୮୭ ମସିହାରେ ଓଲିଉଡ କ୍ୱିନ୍ ଅପରାଜିତଙ୍କୁ ସେ ବିବାହ କରିଥିଲେ । ତାଙ୍କର ଏକମାତ୍ର ପୁଅ ବାବୁସାନ ଓଲିଉଡ଼ର ଜଣେ ଜଣାଶୁଣା ଅଭିନେତା ।
ସେହିପରି ତୋ ବିନୁ ଅନ୍ୟଗତି ନାହିଁ ଫିଲ୍ମ ପାଇଁ ଉତ୍ତମ ମହାନ୍ତି ୧୯୯୧ରେ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ପାଇଥିଲେ। ୧୯୮୪ରେ ଦଣ୍ଡା ବାଳୁଙ୍ଗା ପାଇଁ ତାଙ୍କୁ ରାଜ୍ୟ ସରକାର ଶ୍ରେଷ୍ଠ ଅଭିନେତା ପୁରସ୍କାର ଦେଇଥିଲେ । ୧୯୮୩ରେ ମଧ୍ୟ ସେ ଝିଅଟି ସୀତା ପରି ପାଇଁ ରାଜ୍ୟ ଫିଲ୍ମ ପୁରସ୍କାର ଜିତିଥିଲେ।
୧୯୮୨ରେ ଫୁଲ ଚନ୍ଦନ ପାଇଁ ମଧ୍ୟ ତାଙ୍କୁ ରାଜ୍ୟ ଫିଲ୍ମ ପୁରସ୍କାର ମିଳିଥିଲା । ସେ ଓଡ଼ିଆ ସିନେମାର ଏକମାତ୍ର ଅଭିନେତା ଯିଏ ୧୯୮୨,୧୯୮୩ ଓ ୧୯୮୪ କ୍ରମାଗତ ୩ ବର୍ଷ ଧରି ରାଜ୍ୟ ସରକାରଙ୍କ ଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ।












Click it and Unblock the Notifications