ଆକାଶ ଛୁଆଁ ପରିବା ଦର: ବିନ୍ସ କେଜି ୨୫୦, ଟମାଟୋ ୧୨୦ ଟଙ୍କା; ଅଦା ୩୦୦କୁ କଞ୍ଚାଲଙ୍କା ୪୦୦ ଟଙ୍କା
ଭୁବନେଶ୍ୱର: ଯେଉଁଥିରେ ହାତ ମାର, ସବୁ ଦାମ ୧୦୦ ପାର । ପକେଟରେ ହଜାର ଟଙ୍କା ଥିଲେ ବି ବ୍ୟାଗ୍ ଫୁଲ ହେଉନି । ଏଥିରୁ ଅନୁମାନ କରି ପାରୁଥିବେ ବଜାରରେ ପରିବା ଦର କେମିତି ରହିଛି ।
କିଲୋଗ୍ରାମ ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ମୂଲ୍ୟ ହଠାତ୍ ୧୦୦ ଟଙ୍କା ଟପିଛି । ଦୁଇଦିନ ତଳେ ଯେଉଁ ପରିବା କିଲୋ ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ସେହି ପରିବା ଦର ଦୁଇ ଗୁଣା ବୃଦ୍ଧି ପାଇଛି। ପ୍ରଥମେ ଟମାଟୋ ମୂଲ୍ୟରେ ବୃଦ୍ଧି ହେବା ପରେ ଏବେ ସବୁ ପରିବାର ଦର ବଢ଼ିଛି ।

ଭୁବନେଶ୍ଵର ଏକ ନମ୍ବର ହାଟରେ ବିନ୍ସ କିଲୋଗ୍ରାମ ପିଛା ୨୫୦ ଟଙ୍କା ରହିଥିବା ବେଳେ ଝୁଡ଼ଙ୍ଗ କିଲୋ ୧୦୦ରୁ ୧୨୦ ଟଙ୍କା ରହିଛି । ସେହିପରି କ୍ୟାପସିକମ୍ ୧୫୦ ଟଙ୍କା, ଫୁଲକୋବି ୮୦ ଟଙ୍କା, ବାଇଗଣ କିଲୋ ୯୦ରୁ ୧୧୦ ଟଙ୍କା, ପୋଟଳ କିଲୋ ୧୦୦ ଟଙ୍କା, ଟମାଟୋ କିଲୋ ୧୦୦ ଟଙ୍କା, ଭେଣ୍ଡି କିଲୋ ୯୦ ଟଙ୍କା ଏବଂ କଲରା କିଲୋ ୧୦୦ ଟଙ୍କା ରହିଛି। ଅଦା କିଲୋ ୩୦୦ ଟଙ୍କା, କଞ୍ଚାଲଙ୍କା ୪୦୦ ଟଙ୍କାରେ ବିକ୍ରି ହେଉଛି । ସବୁ କଞ୍ଚା ପରିବାର ଦର ମଧ୍ୟ ୧୦୦ ଉପରେ ରହିଛି ।
ବର୍ଷ ତମାମ ୮ରୁ ୧୦ ଟଙ୍କାରେ ବ୍ୟବସାୟୀଙ୍କୁ ଅଦା ବିକ୍ରି କରନ୍ତି କୋରାପୁଟ ଚାଷୀ । ଗତମାସରେ ବ୍ୟବସାୟୀମାନେ ୧୬୦ରୁ ୨୦୦ ଟଙ୍କାରେ ଓଡ଼ିଶା ଅଦା କିଣିଥିଲେ । ସେହି ଅଦାକୁ ଉତ୍ତରପ୍ରଦେଶ ବିହନ ଭାବରେ ବ୍ୟବହାର ପାଇଁ ବିକ୍ରି କରି ଦିଆଗଲା । ଯେଉଁଥିପାଇଁ ଓଡ଼ିଶା ବଜାରରେ ସ୍ଥାନୀୟ ଅଦା ନଥିବାରୁ ଦର ଲଗାମ ଛଡ଼ା ହୋଇଯାଇଛି ।












Click it and Unblock the Notifications