ଆସନ୍ତା ମାସରେ ଓଡ଼ିଶାରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ !
ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ସେବା ଆସନ୍ତା ମାସରେ ଓଡିଶାରେ ଆରମ୍ଭ ହେବାର ସମ୍ଭାବନା ରହିଛି । ସୂଚନାନୁସାରେ ଏହି ସୁପରଫାଷ୍ଟ ହାଇ-ଏଣ୍ଡ ଏକ୍ସପ୍ରେସ ଟ୍ରେନ ପୁରୀରୁ ଆରମ୍ଭ ହୋଇ ରାଜଧାନୀ ଭୁବନେଶ୍ୱର ଦେଇ ହାୱାର୍ଡା ପର୍ଯ୍ୟନ୍ତ ଚାଲିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିପାରନ୍ତି । ତେବେ ଏହାର ସମୟସାରଣୀ ପ୍ରସ୍ତୁତ ହୋଇନାହିଁ । ବନ୍ଦେ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି । ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ ।

ଏହି ପ୍ରକଳ୍ପ ପାଇଁ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ କାରଖାନାରେ ନିର୍ମିତ କୋଚମାନଙ୍କୁ ପ୍ରାଥମିକ ରକ୍ଷଣାବେକ୍ଷଣ ପାଇଁ କୋଲକାତା ପଠାଯାଇଛି । ଏହି କୋଚମାନେ ଉଦ୍ଘାଟନ ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ରକ୍ଷଣାବେକ୍ଷଣ ପାଇଁ ଓଡିଶାକୁ ଆସିବେ ।
ଆଜି ଭୁବନେଶ୍ବର ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍ କୋଲକାତା ଯାଇଛି । ବର୍ତ୍ତମାନ ସୁଦ୍ଧାରେ ଦେଶରେ ୯ଟି ରୁଟ୍ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି । ଏହି ଟ୍ରେନ୍ ସର୍ବାଧିକ 180 କିଲୋମିଟର ବେଗରେ ଚାଲି ପାରିବ ।
ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ 1128 ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ 14 ଏସି ଚେୟାର କାର କୋଚ ଏବଂ ଦୁଇଟି କାର୍ଯ୍ୟନିର୍ବାହୀ ଏସି ଚେୟାର କାର କୋଚ ରହିଛି । ଆସନ୍ତା ତିନି ବର୍ଷ ମଧ୍ୟରେ ସାରା ଦେଶରେ 400 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବାକୁ ସରକାର ଯୋଜନା କରିଛନ୍ତି । ଗତବର୍ଷ ଓଡ଼ିଶା ଗସ୍ତ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ରାଜ୍ୟରେ ଖୁବଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡିବାକୁ ଯାଉଛି ।












Click it and Unblock the Notifications