ସମ୍ଭାବ୍ୟ ବାତ୍ୟା ନେଇ ବଡ ଅପଡେଟ୍: ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ‘ମୋଚା’
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଲା ବଡ ଅପଡେଟ୍ । ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ସମ୍ଭାବ୍ୟ ବାତ୍ୟା 'ମୋଚା' । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ବଢିଲା ସମ୍ଭାବନା ।
ତେବେ ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଘୂର୍ଣ୍ଣିବଳୟ । ଯାହା ପ୍ରଭାବରେ ୭ ତାରିଖରେ ସୃଷ୍ଟି ହେବ ଲଘୁଚାପ । ୮ ତାରିଖରେ ଏହି ଲଘୁଚାପଟି ଅବପାତର ରୂପ ନେବ । ପରେ ୯ ତାରିଖରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ । କ୍ରମଶଃ ଏହା ଅତି ଭୀଷଣ ବାତ୍ୟା ରୂପ ପର୍ଯ୍ୟନ୍ତ ଯାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଅନ୍ୟପଟେ ଏହି ବାତ୍ୟାର ଗତି କେମିତି ରହିବ ସେନେଇ ବିଭିନ୍ନ ମଡେଲଙ୍କ ପକ୍ଷରୁ ଆକଳନ କରାଯାଇଛି । ଅନ୍ତର୍ଜାତୀୟ ପାଣପାଗ ସଂସ୍ଥା 'ୱିଣ୍ଡି ଡଟ୍ କମ'ର ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ବାଂଲାଦେଶ ଉପକୂଳ ପାଖାପାଖି ଲ୍ୟାଣ୍ଡଫଲ୍ କରିପାରେ । ତେବେ ସମ୍ଭାବ୍ୟ ବାତ୍ୟାଟି ଆସନ୍ତା ୧୨ ତାରିଖ ଅପରାହ୍ନ ୨ଟା ପରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି ବୋଲି ଏହି ମେଡଲ ଆକଳନ କରିଛି ।
ସେହିପରି ଜିଏଫଏସ୍ ମଡେଲ୍ ମଧ୍ୟ ବାତ୍ୟା ୧୨ ତାରିଖ ରାତି ୧୦ଟା ପରେ ଅର୍ଥାତ ବିଳମ୍ବିତ ରାତିରେ ବାଂଲାଦେଶ ଓ ମିଆଁମାର ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରିଛି । ସ୍ଥଳ ଭାଗ ଛୁଇଁବା ସମୟରେ ପବନର ଘଣ୍ଟା ପ୍ରତି ବେଗ ପାଖାପାଖି ୧୦୦ କିମି ରହିବା ନେଇ ପୂର୍ବାନୁମାନ କରାଯାଇଛି ।
ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ସମୁଦ୍ର ଭିତରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ବାତ୍ୟାରେ ପରିଣତ ହେବା ନେଇ ପାରିପାର୍ଶ୍ବିକ ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ୭ ତାରିଖରୁ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ଛୁଇଁପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୭ ତାରିଖଠାରୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।
ସେପଟେ ରାଜ୍ୟ ସରକାର ମଧ୍ୟ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ଅଧିକାରୀମାନଙ୍କୁ ଆଲର୍ଟ କରାଯାଇଛି। ପାଣିପାଗ ବିଭାଗ ସହ ସମନ୍ୱୟ ରଖାଯାଇ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଲାଗି ଯୋଜନା ହୋଇଛି। ପ୍ରତି ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଥିବା ନେଇ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ।












Click it and Unblock the Notifications