ବାତ୍ୟା ଆସିଲେ ନାଁ ରହିବ 'ମୋଚା': ଜାଣନ୍ତୁ କିଏ କରିଛି ଏମିତି ନାମକରଣ ?
Cyclone Mocha News: ଆସୁଛି ବାତ୍ୟା । ପୁଣି ଥରେ ମେ' ମାସରେ ଆସୁଛି ବାତ୍ୟା । ଯଦି ଏହି ବାତ୍ୟା ଆସେ ଓ ସ୍ଥଳ ଭାଗରେ ଲ୍ୟାଣ୍ଡଫଲ କରେ, ତେବେ ଏହି ବାତ୍ୟାର ନାମ ରହିଛି 'ମୋଚା' ।
ଚଳିତ ମେ' ୧୧ ତାରିଖ ବେଳକୁ ବଙ୍ଗୋପସାଗର ରେ ସୃଷ୍ଟି ହୋଇ ପାରେ ଏକ ବାତ୍ୟା । ଏନେଇ ଆକଳନ କରିଛି ଆମେରିକାନ୍ GFS ମଡେଲ । ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମର ଆକଳନ ଅନୁସାରେ ମାସ ଦ୍ବିତୀୟ ସପ୍ତାହରେ ବାତ୍ୟା ସୃଷ୍ଟି ହୋଇପାରେ । ସାମୁଦ୍ରିକ ଝଡ଼ ସୃଷ୍ଟି ହେଲେ ଏହାର ନାଁ ରହିବ ମୋଚା । ଯାହାର ନାମକରଣ କରିଛି ୟେମେନ ।

ତେବେ ବଙ୍ଗୋପସାଗରରେ ଆସନ୍ତା ୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବାନା ଥିବା ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ ।
ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଥିବା କହିଛି ବିଭାଗ । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ କି ନା, ତାହା ଏଯାଏ ସ୍ପଷ୍ଟ ହୋଇନି
ଅନ୍ୟପଟେ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍ ମେ ଦ୍ୱିତୀୟ ସପ୍ତାହରେ ବାତ୍ୟା ସମ୍ଭାବନା ନେଇ ଆକଳନ କରିଛନ୍ତି । ଚଳିତ ସପ୍ତାହ ଶେଷ ଆଡକୁ କିମ୍ବା ଆସନ୍ତା ସପ୍ତାହ ଆରମ୍ଭ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି । ତେବେ ଲଘୁଚାପଟି ସାମୁଦ୍ରିକ ଝଡ଼ର ରୂପ ନେବା ଯଥେଷ୍ଟ ସମ୍ଭାବନା ଥିବା ଅନୁମାନ କରିଛନ୍ତି ଜାସନ ନିକୋଲ୍ସ । ପୂର୍ବ ଭାରତରୁ ଆରମ୍ଭ କରି ବାଂଲାଦେଶ ଓ ମିଆଁମାର ପର୍ଯ୍ୟନ୍ତ ଏହାର ପ୍ରଭାବ ପଡିପାରେ ବୋଲି ସେ ଆକଳନ କରିଛନ୍ତି ।
ସୂଚନାଥାଉ କି, ଗତ ୪ ବର୍ଷ ଧରି ଲଗାତାର ମେ ମାସରେ ବାତ୍ୟା ତାଣ୍ଡବ ରଚିଛି । ସବୁଠାରୁ ଭୟଙ୍କର ବାତ୍ୟା ଫନି ଓଡ଼ିଶା ଉପକୂଳକୁ ଛାରଖାର କରିଥିଲା । ପରେ ପରେ ଅମ୍ଫନ, ୟାଶ୍ ଏବଂ ଆସାନୀ ବାତ୍ୟା ବି ମେ ମାସରେ ସ୍ଥଳଭାଗ ଛୁଇଁଛି ।
ଗତବର୍ଷ ମେ ୮ତାରିଖରେ ସାମୁଦ୍ରିକ ଝଡ଼ ଅସାନୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା । ପ୍ରଥମେ ପୂର୍ବାନୁମାନ କରାଯାଇଥିଲା ଯେ, ଏହା ଆନ୍ଧ୍ର-ଓଡ଼ିଶା ଉପକୂଳ ମୁହାଁଇବ । ପରେ ଗତିପଥ ବଦଳାଇ ଥିଲା ବାତ୍ୟା ଅସାନୀ । ଏହାର ପ୍ରକୋପ ମଧ୍ୟ କମିଥିଲା । ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତ ଭାବରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଥିଲା । ତେଣୁ ଏବେ ବଙ୍ଗୋପସାଗରରେ ବାତ୍ୟା ହେବ କି ନାହିଁ ଓ ଏହାର ସମ୍ଭାବ୍ୟ ପ୍ରକୋପ ନେଇ ଏବେଠାରୁ ସଠିକ୍ ପୂର୍ବାନୁମାନ କରି ହେବ ନାହିଁ ।












Click it and Unblock the Notifications