ଏଠି ଦଶହରାରେ ପୂଜା ପାଏ ହାଡ଼ିଆ ଭୂତ, ଗୋଶାଣୀ ଯାତ୍ରାରେ ମଧ୍ୟ ହୁଏ ସାମିଲ
ଶାରଦୀୟ ଦୁର୍ଗା ପୂଜାରେ ଏଠି ପୂଜା ପାଏ ହାଡ଼ିଆ ଭୂତ । ଶୁଣିବାକୁ ଯେତିକି ଅଦ୍ଭୁତ, ସେତିକି ଆଶ୍ଚର୍ଯ୍ୟ ମଧ୍ୟ । ଶ୍ରୀକ୍ଷେତ୍ର ପୁରୀ ସହରରେ ରହିଛି ଏମିତି କିଛି ଅଜବ ପରମ୍ପରା । ସହରର ହରଚଣ୍ଡୀ ସାହିର ଆଦିତ୍ୟଙ୍କ ଘରେ ପୂଜା ପାଏ ଏହି ହାଡ଼ିଆ ଭୂତ ।
ପୁରୀ: ଶାରଦୀୟ ଦୁର୍ଗା ପୂଜାରେ ଏଠି ପୂଜା ପାଏ ହାଡ଼ିଆ ଭୂତ । ଶୁଣିବାକୁ ଯେତିକି ଅଦ୍ଭୁତ, ସେତିକି ଆଶ୍ଚର୍ଯ୍ୟ ମଧ୍ୟ । ଶ୍ରୀକ୍ଷେତ୍ର ପୁରୀ ସହରରେ ରହିଛି ଏମିତି କିଛି ଅଜବ ପରମ୍ପରା । ସହରର ହରଚଣ୍ଡୀ ସାହିର ଆଦିତ୍ୟଙ୍କ ଘରେ ପୂଜା ପାଏ ଏହି ହାଡ଼ିଆ ଭୂତ । ମହାସପ୍ତମୀରୁ ହରଚଣ୍ଡୀ ସାହିରେ ଆଡ଼ମ୍ବରରେ ପୂଜା ପାଏ ହାଡ଼ିଆ ଭୂତ ।

ତେବେ ଏହା ଆଜି କି କାଲର କଥା ନୁହେଁ । ଆଦିତ୍ୟଙ୍କ କହିବା ଅନୁଯାୟୀ, ତାଙ୍କ ବଂଶର ପାଞ୍ଚ ପିଢି ଏହି ଭୂତ ପୂଜା କରି ଆସୁଛନ୍ତି । ତାଙ୍କ ଅଣ ଜେଜେଙ୍କ ଠାରୁ ଏହି ପରମ୍ପରା ଆରମ୍ଭ ହୋଇଥିଲା । ତାଙ୍କ ଜେଜେ ପରେ ବାପା ଓ ଏବେ ସେ ଏହି ପରମ୍ପରା ବଞ୍ଚାଇ ରଖିଛନ୍ତି । ଏହି ପରମ୍ପରା ଆଦିତ୍ୟଙ୍କ ଅଣ ଜେଜେ ହାଡି଼ବନ୍ଧୁଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ତେଣୁ ଏହି ଭୂତ ନାମ ହାଡି଼ଆ ଭୂତ ରହିଛି ।
ତେବେ ତାଙ୍କ ଘରେ କିଛି ନିଆରା ଉପସ୍ଥିତିର ଅନୁଭୂତି ହୋଇଥିଲା ଏବଂ ସେବେଠାରୁ ଏହି ଅଶରୀର ଅଦୃଶ୍ୟ ଆତ୍ମାର ପୂଜା ପରମ୍ପରା ରହି ଆସିଛି ବୋଲି ଆଦିତ୍ୟ କହିଛନ୍ତି । ଏବେ ବି ପୂଜା ସମୟରେ ଆଦିତ୍ୟଙ୍କ ପରିବାର ଘରେ କିଛି ନିଆରା ଉପସ୍ଥିତିର ଅନୁଭବ କରନ୍ତି ବୋଲି କୁହନ୍ତି ଆଦିତ୍ୟ । ତାଙ୍କ ପରିବାରକୁ ପ୍ରେତ ଆତ୍ମାଙ୍କ ଖରାପ ପ୍ରଭାବରୁ ରକ୍ଷା କରିବା ପାଇଁ ଏହି ପୂଜା କରାଯାଏ ବୋଲି ସେ କହିଛନ୍ତି ।
ତେବେ ଦୁର୍ଗା ପୂଜା ପରି ଭୂତର ମୂର୍ତ୍ତି ନୂତନ ଶାଢୀ, ଅଳଙ୍କାର, ଫୁଲ ଦ୍ୱାରା ସଜାଯାଇ ଥାଏ । ପୂଜା ସମୟରେ ହୋମ ଯଜ୍ଞ ମଧ୍ୟ ହୁଏ । ଖାଲି ସେତିକି ନୁହେଁ ଏହି ଭୂତ ନିକଟରେ ଶୀତଳ ଭୋଗ, ଫଳ, ବେସର, ମହୁର, ପୋଡା ବଳି, ସହ ମାହାର୍ଦ୍ଦ ସମର୍ପଣର ମଧ୍ୟ ପରମ୍ପରା ରହି ଆସିଛି । ଏପରିକି ଏହି ହାଡିଆ ଭୁତ, ଏକାଦଶୀରେ ଅନୁଷ୍ଠିତ ଗୋଶାଣୀ ଯାତ୍ରାରେ ଗୋଶାଣୀମାନଙ୍କ ସହ ସାମିଲ ହୁଏ ।
ଆଜି ମଧ୍ୟ ମୁଁ ପୂଜା କରିବା ସମୟରେ ଘରେ ଅଜ୍ଞାତ ଶକ୍ତିର ଉପସ୍ଥିତି ଅନୁଭବ କରୁଛି । ଯଦିଓ ମୁଁ ଏଥିପାଇଁ କୌଣସି ବୈଜ୍ଞାନିକ ବ୍ୟାଖ୍ୟା ଦେଇ ପାରିବି ନାହିଁ । ମୋ ପରିବାରର ଏହି ପରମ୍ପର ଏବଂ ଭୂତମାନଙ୍କ ଉପସ୍ଥିତିରେ ମୋର ବିଶ୍ୱାସ ହେତୁ ମୁଁ ପୂଜା କରିଆସୁଛି ବୋଲି ସେ କହିଛନ୍ତି ।












Click it and Unblock the Notifications