ବିଜେଡି ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କହିଲେ କ୍ଷମତା ଲୋଭରେ ଆତଙ୍କିତ
ବିଜେଡି ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ। ସୁଭଦ୍ରା'କୁ ନେଇ ବିଜେଡିର ଟିପ୍ପଣୀକୁ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି। ୨୫ ବର୍ଷର ଶାସନରେ ବିଜେଡି 'ସୁଭଦ୍ରା' ଲାଗୁ କଲାନି । ବିଜେଡି ଏବେ ଆତଙ୍କିତ ହୋଇଗଲାଣି, ଡରିଗଲାଣି। ମହିଳା ଭୋଟକୁ ଅକ୍ତିଆରରେ ରଖିବା ଏବେ ଫେଲ ହେବାକୁ ଯାଉଛି ବୋଲି ଜୁଏଲ ଓରାମ କହିଛନ୍ତି।

ଅନ୍ୟପକ୍ଷେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ସମ୍ପର୍କରେ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଆଜି ସୁଭଦ୍ରା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ସୁଭଦ୍ରା ପଞ୍ଜୀକରଣ ଚାଲିବ। ଧୈର୍ଯ୍ୟ ରଖନ୍ତୁ, ଖୁବ୍ଶୀଘ୍ର ସୁଭଦ୍ରା ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚିବ। ଏହାର କୌଣସି ସୀମା ନାହିଁ, ଶେଷ ହିତାଧିକାରୀ ଯାଏ ପଞ୍ଜୀକରଣ ଚାଲିବ। ଏଥିପାଇଁ ଗହଳି ନ କରି ଅପେକ୍ଷା କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ଏବଂ ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଆପଣମାନେ ରାତି ଅନିଦ୍ରା ନ ହୋଇ ଗହଳି ନ କରି ଅପେକ୍ଷା କରନ୍ତୁ। ସୁଭଦ୍ରା ସଚେତନତା ରଥ ଆସନ୍ତା ୧୬ ତାରିଖ ଯାଏ ବୁଲି ସଚେତନତା ସୃଷ୍ଟି କରିବ। ରାଜ୍ୟବାପୀ ଗାଁଠୁ ସହର ପର୍ଯ୍ୟନ୍ତ ଏହି ସଚେତନତା ରଥ ବୁଲିବ। ବର୍ଷକୁ ୨ଟି କିସ୍ତିରେ ୫ ହଜାର ଲେଖାଏ ୧୦ ହଜାର ଟଙ୍କା ମିଳିବ। ଏହା ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।












Click it and Unblock the Notifications