ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଫିଫା ଫିବର୍: ସଂଧ୍ୟାରେ ଆମରିକାକୁ ଭେଟିବ ଭାରତ
ଆଜିଠୁ କଳିଙ୍ଗରେ ଫୁଟବଲ ମହାକୁମ୍ଭ । ଆରମ୍ଭ ହେବ ଅଣ୍ଡର-17 ମହିଳା ଫିଫା ବିଶ୍ୱକପ୍ । କଳିଙ୍ଗ ଷ୍ଟାଡିୟମରେ ହେବ କମ୍ପନ । ସାରା ରାଜ୍ୟରେ ଏବେ ଫିଫା ଫିବର୍ । ଆଜି ଉଦଘଟାନୀ ଦିବସରେ 3ଟି ମ୍ୟାଚ ରହିଛି । ତେବେ ସଂଧ୍ୟା 8.34 ମିନିଟରେ ଆମରିକାକୁ ଭେଟିବ ଭାରତ ।
ଭୁବନେଶ୍ୱର: ଆଜିଠୁ କଳିଙ୍ଗରେ ଫୁଟବଲ ମହାକୁମ୍ଭ । ଆରମ୍ଭ ହେବ ଅଣ୍ଡର-17 ମହିଳା ଫିଫା ବିଶ୍ୱକପ୍ । କଳିଙ୍ଗ ଷ୍ଟାଡିୟମରେ ହେବ କମ୍ପନ । ସାରା ରାଜ୍ୟରେ ଏବେ ଫିଫା ଫିବର୍ । ଆଜି ଉଦଘଟାନୀ ଦିବସରେ 3ଟି ମ୍ୟାଚ ରହିଛି । ତେବେ ସଂଧ୍ୟା 8.34 ମିନିଟରେ ଆମରିକାକୁ ଭେଟିବ ଭାରତ । ବ୍ରାଜିଲ ଓ ମରକ୍କୋ ମଧ୍ୟରେ ଅପରାହ୍ନ ସାଢ଼େ ୪ଟାରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ ।

୧୨ ହଜାର କ୍ଷମତା ସମ୍ପୁର୍ଣ୍ଣ କଳିଙ୍ଗ ଷ୍ଟାଡିୟମ୍କୁ ଅତି ସୁନ୍ଦର ଭାବେ ସମ୍ବଲପୁରୀ ପଶାପଲୀ ଡିଜାଇନ୍ରେ ସଜା ଯାଇଛି । ଲାଲ, ସବୁଜ, ଧଳା ପ୍ରିଣ୍ଟରେ ସିଟ୍ ଗୁଡ଼ିକୁ ନୂଆ ରୂପ ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରରେ ଫୁଟବଲ୍ ଫିଭର । ଷ୍ଟାଡିୟମ୍ଠୁ ଆରମ୍ଭ କରି ରାସ୍ତାଘାଟ ସବୁଠି ଛାଇଗଲାଣି ପୋଷ୍ଟର ବ୍ୟାନର ।
ଫିଫା ମହିଳା ବିଶ୍ୱକପ୍ରେ ଭାରତ ପ୍ରଥମ ଥର ପାଇଁ ଭାଗ ନେଉଛି । ଦୀର୍ଘ ୭ ମାସ ହେଲା ଖେଳାଳିମାନେ ଅଭ୍ୟାସ ଚଳାଇଛନ୍ତି । ମାନସିକ ଓ ଶାରୀରିକ ଭାବେ ଆମେ ଶକ୍ତ ଅଛୁ, ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବୁ ବୋଲି ମହିଳା ଟିମ୍ର ଅଧିନାୟକ ଅସ୍ତାମ ଓରାଂଓ କହିଛନ୍ତି ।
ଭୁବନେଶ୍ୱର, ଗୋଆ ଏବଂ ନଭି ମୁମ୍ବାଇ ଭଳି ୩ଟି ଭେନ୍ୟୁରେ ଖେଳାଯିବ ଟୁର୍ଣ୍ଣମେଣ୍ଟର ସମସ୍ତ ମ୍ୟାଚ୍ । ଆସନ୍ତା ୩୦ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ବିଶ୍ୱକପ୍ରେ ଆୟୋଜକ ଭାରତ ସମେତ ୧୬ଟି ଦେଶ ଅଂଶଗ୍ରହଣ କରୁଛନ୍ତି । ଭାରତ ସମେତ ମରକ୍କୋ, ବ୍ରାଜିଲ୍, ଆମେରିକା, ନାଇଜେରିଆ ଓ ଚିଲ୍ଲି ଟିମ୍ର କଳିଙ୍ଗ ଷ୍ଟାଡିୟମ୍ରେ ମ୍ୟାଚ୍ ରହିଛି । ଏନେଇ ସମସ୍ତ ଦଳ କ୍ୟାପିଟାଲ ହାଇସ୍କୁଲ ପଡିଆ ଏବଂ ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ଜୋରଦାର ଅଭ୍ୟାସ ଚଳାଇଛନ୍ତି ।
ଦର୍ଶକ ମାନେ ମ୍ୟାଚ୍କୁ ନେଇ ଉତ୍କଣ୍ଠାରେ ଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଫିଫା ବିଶ୍ବକପ୍ ପାଇଁ ଗତକାଲି କଳିଙ୍ଗ ଷ୍ଟାଡିୟମକୁ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଫୁଟବଲ୍ ବିଶ୍ୱକପ ପାଇଁ ଚାରିସ୍ତରୀୟ ସୁରକ୍ଷା ବଳୟରେ ରହିବ କଳିଙ୍ଗ ଷ୍ଟାଡିୟମ। ଏଥିସହ ସୁରକ୍ଷା ଓ ଟ୍ରାଫିକ ଲାଗି ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନ୍ସପେକ୍ଟର ୧୦୦ ଅଧିକାରୀ, ୨୪୦ କନ୍ଷ୍ଟେବଳ ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।
ସେହିପରି ଶାନ୍ତି ଶୃଙ୍ଖଳାର ମ୍ୟାଚ ଶେଷ କରିବା ଦିଗରେ ଗୁରୁତ୍ୱ ଦେଉଛି କମିସନରେଟ୍ ପୋଲିସ। ଷ୍ଟାଡ଼ିୟମ ଭିତରେ ସାଧା ପୋଷାକରେ ପୋଲିସ ମୁତୟନ ରହିବେ। ସେମାନେ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବେ। ଏଥିସହ ପାର୍କିଂ ଆଉ ଟ୍ରାଫିକକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଷ୍ଟାଡିୟମ ବାହାରେ, ଷ୍ଟାଡିୟମ ବାଉଣ୍ଡରୀ ୱାଲ ଭିତରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଏହାସହ ଖେଳାଳି, ଅମ୍ପେୟାର ଓ ଅନ୍ୟ ଅଫିସିଆଲମାନେ ରହୁଥିବା ହୋଟେଲ ଏବଂ ଅଭ୍ୟାସ କରୁଥିବା ସ୍ଥାନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।












Click it and Unblock the Notifications