ଓଡ଼ିଶା ମୁହାଁ ଛତିଶଗଡ଼ ବାଘ, ଠାବ ହେଲେ ଦୁଇଟି ମହାବଳ
ଓଡ଼ିଶା ଜଙ୍ଗଲରୁ ଠାବ ହୋଇଛନ୍ତି ଦୁଇଟି ମହାବଳ ବାଘ । ଦେବ୍ରିଗଡ଼ ଓ କେନ୍ଦୁଝର ଜଙ୍ଗଲରେ ମହାବଳ ବାଘ ବୁଲୁଛନ୍ତି । ଦେବ୍ରିଗଡ଼କୁ ନିୟମିତ ଆସୁଛି ଛତିଶଗଡ଼ର ଗୋଟିଏ ମହାବଳ ବାଘ ।

ଭୁବନେଶ୍ୱର: ଓଡ଼ିଶା ଜଙ୍ଗଲରୁ ଠାବ ହୋଇଛନ୍ତି ଦୁଇଟି ମହାବଳ ବାଘ । ଦେବ୍ରିଗଡ଼ ଓ କେନ୍ଦୁଝର ଜଙ୍ଗଲରେ ମହାବଳ ବାଘ ବୁଲୁଛନ୍ତି । ଦେବ୍ରିଗଡ଼କୁ ନିୟମିତ ଆସୁଛି ଛତିଶଗଡ଼ର ଗୋଟିଏ ମହାବଳ ବାଘ । ଦେବ୍ରିଗଡ଼ ଅଭୟାରଣ୍ୟ ସହ ବରଗଡ଼ର ୨ଟି ଜଙ୍ଗଲରେ ବାଘଟି ବୁଲୁଥିବା ଜଣାପଡ଼ିଛି ।
ବନ୍ୟପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ନିକଟରେ ଦେବ୍ରିଗଡକୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା କରିବାକୁ ଏନ୍ଟିସିଏ ସୁପାରିଶ କରିଛି । ଏବେ ରାଜ୍ୟ ସରକାରଙ୍କୁ ଏନେଇ ବିଜ୍ଞପ୍ତି ଜାରି କରିବାକୁ ପଡ଼ିବ । ଏହାପରେ ଦେବ୍ରିଗଡ଼ ବ୍ୟାଘ୍ର ଅଭୟାରଣ୍ୟ ଭାବେ ପରିଚୟ ଲାଭ କରିବ । ଏହାବାଦ ଦେବ୍ରିଗଡ଼ରେ ବାଘ ସଂଖ୍ୟା ଗଣତି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବନ ବିଭାଗ।
ଅପରପକ୍ଷରେ ଦେବ୍ରିଗଡ଼ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବନ ବିଭାଗ । ଦେବ୍ରିଗଡ଼ରେ କ୍ୟାମେରା ଟ୍ରାପ ସଂଖ୍ୟା ବଢ଼ାଯାଇଛି । ଦେବ୍ରିଗଡ଼ରେ ବାଘ ପରିଚାଳନା ଲାଗି ଏକ ଅତିରିକ୍ତ ସ୍କ୍ୱାର୍ଡ ମଧ୍ୟ ମଞ୍ଜୁର କରାଯାଇଛି । ଏପରିକି ସେଠାରେ ବାଘର ପଦଚିହ୍ନ ଡାଟା ଆନାଲିସିସ ସହାୟତା କରିବାକୁ ଜଣେ ବାୟୋଲଜିଷ୍ଟକୁ ପ୍ରତି ମାସରେ ୧୦ ଦିନ ଲାଗି ସେଠାକୁ ପଠାଯାଉଛି ।
ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡ ବିଟ୍ ଅଞ୍ଚଳରେ ମଧ୍ୟ ମହାବଳ ବାଘ ଠାବ ହୋଇଥିବା ଜଣାପଡ଼ିଛି । ରୋହଣୀଦୁମା ଓ ବଣମହୁଲ ଡିହା ଗ୍ରାମବାସୀ କିଛି ଦିନ ତଳେ ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ବାରହାର ମୃତଦେହ ଠାବ କରିଥିଲେ । ସେହିପରି ମୃତଦେହ ନିକଟରୁ ୪ରୁ ଅଧିକ ବାଘର ପାଦ ଚିହ୍ନ ମିଳିଥିଲା । ଏହି ପାଦ ଚିହ୍ନ କେଉଁ ପ୍ରଜାତିର ବାଘ ବୋଲି ଜାଣିବା ମଧ୍ୟ ପ୍ରୟାସ କରାଯାଇଥିଲା। ଏବେ ଜଣାପଡ଼ିଛି ଯେ କେନ୍ଦୁଝର ଜଙ୍ଗଲରେ ଗୋଟିଏ ମହାବଳ ବାଘ ବୁଲୁଛି ।












Click it and Unblock the Notifications