ଶପଥ ନେଲେ ହାଇକୋର୍ଟର ଦୁଇ ନୂଆ ବିଚାରପତି
ଓଡ଼ିଶା ହାଇକୋର୍ଟର ଦୁଇ ଜଣ ନବ ନିଯୁକ୍ତ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଶପଥ ନେଇଛନ୍ତି ।
କଟକ: ଓଡ଼ିଶା ହାଇକୋର୍ଟର ଦୁଇ ଜଣ ନବ ନିଯୁକ୍ତ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଶପଥ ନେଇଛନ୍ତି । ପୁରୁଣା ହାଇକୋର୍ଟ କନଫରେନ୍ସ ହଲରେ ଶପଥ ଗ୍ରହଣ ଉତ୍ସବ ହୋଇଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଉଭୟଙ୍କ ଶପଥ ପାଠ କରାଇଛନ୍ତି ।

ଜଷ୍ଟିସ ଶୁଭାଶିଷ ତାଳପତ୍ର ତ୍ରିପୁରା ହାଇକୋର୍ଟରୁ ବଦଳି ହୋଇ ଆସିଥିବା ବେଳେ ଆଇନଜୀବୀ ସଞ୍ଜୟ କୁମାର ମିଶ୍ରଙ୍କୁ ନୂତନ ବିଚାରପତି ଭାବେ ନିଯୁକ୍ତି ମିଳିଛି । ଶପଥ ଗ୍ରହଣ ଉତ୍ସବରେ ବହୁ ଜଜ୍ଙ୍କ ସମେତ ବରିଷ୍ଠ ଆଇନଜୀବୀ ଓ ବରିଷ୍ଠ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ।
୨ ବିଚାରପତି ଶପଥପାଠ କରିବା ପରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ତେବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସି.ଆର ଦାସଙ୍କର କଲିକତା ହାଇକୋର୍ଟକୁ ବଦଳି ହୋଇଥିବାରୁ ପୁଣି ଥରେ ଏହି ସଂଖ୍ୟା ୨୨କୁ ଖସି ଆସିବ ।
ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ତ୍ରିପୁରା ହାଇକୋର୍ଟର ଜଣେ ବରିଷ୍ଠ ବିଚାରପତି ଭାବେ ଦୀର୍ଘ ଦିନ କାମ କରିବା ପରେ ତାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି। ତାଙ୍କ ପ୍ରତିବଦଳରେ ଜଷ୍ଟିସ ସି.ଆର ଦାସଙ୍କର କଲିକତା ହାଇକୋର୍ଟକୁ ବଦଳି କରାଯାଇଛି। ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟରେ ଦୀର୍ଘ ଦିନ ଧରି ଆଇନଜୀବୀ ଭାବେ କାମ କରୁଥିବା ବେଳେ ଏବେ ତାଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଛି।












Click it and Unblock the Notifications