ଦୁଇଟି ମାଛଧରା ବୋଟ୍ ଅଚଳ; ପାରାଦୀପ ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ
ପାରାଦୀପ ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ । ଗୋଟିଏ ବୋଟ୍କୁ ଉଦ୍ଧାର ପାଇଁ ଯାଇ ଫସିଲା ଆଉ ଏକ ବୋଟ୍ । ଅଚଳ ବୋଟ୍କୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ି ଛିଣ୍ଡିଲା। ଦଉଡ଼ି ଛିଣ୍ଡି ପଙ୍ଖାରେ ଲାଗିବାରୁ ଫସିଲା ଉଦ୍ଧାରକାରୀ ବୋଟ୍ । ଫସିଥିବା ୨ଟି ବୋଟ୍କୁ ଉଦ୍ଧାର ପାଇଁ କୋଷ୍ଟଗାର୍ଡର ଉଦ୍ୟମ ।
ସମଗ୍ର ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ସମୁଦ୍ର ବି ଅଶାନ୍ତ ରହିଛି । ପାରାଦୀପ ମହାନଦୀ ମୁହାଣରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ । ଦୁଇଟି ମାଛଧରା ବୋଟ ଅଚଳ ହୋଇଯିବାରୁ ଏମାନେ ମଝି ସମୁଦ୍ରରେ ଭାସୁଛନ୍ତି। ଆଜି ସକାଳୁ ଏପରି ସ୍ଥିତି ଉପୁଜିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନ ଥିବା ଜଣାଯାଇଛି ।

ଆଜି ସକାଳେ ପ୍ରଥମେ ଏକ ମାଝଧରା ବୋଟ ସମୁଦ୍ର ମଝିରେ ଅଚଳ ହୋଇ ଯାଇଥିଲା । ସୂଚନା ପାଇ ତୁରନ୍ତ ତାହାକୁ ଉଦ୍ଧାର କରିବାକୁ ଅନ୍ୟ ଏକ ବୋଟ ସମୁଦ୍ର ମଝିକୁ ଯାଇଥିଲା। ମାତ୍ର ସମୁଦ୍ର ଅଶାନ୍ତ ଥିବାରୁ ବଡ଼ ବଡ଼ ଲହଡି ମାଡ଼ ହେଉଥିବାରୁ ତାହାର ବି ଇଞ୍ଜିନି ଖରାପ ହୋଇ ଯାଇଛି । ଫଳରେ ବୋଟ ଦୁଇଟି ମଝି ସମୁଦ୍ରରେ ଭାସୁଥିବା ବେଳେ ସେଥିରେ ୧୪ ମତ୍ସ୍ୟଜୀବୀ ଭାସୁଛନ୍ତି।
ଖବର ପାଇ ତୁରନ୍ତ ସେମାନଙ୍କୁ ଉଦ୍ଧାର ପାଇଁ ପାରାଦୀପ ପୋର୍ଟ, ମେରାଇନ ପୁଲିସ୍ ଓ କୋଷ୍ଟଗାର୍ଡ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଛି। ମତ୍ସଜୀବୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ତୁରନ୍ତ ଦୁଇଟି ବୋଟ ସମୁଦ୍ର ମଧ୍ୟକୁ ପଠାଯାଇଛି ।
ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପ୍ରୟାସ ଚାଲିଥିବା ବେଳେ ଖବର ଲେଖା ହେବା ବେଳକୁ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନ ଥିବା ଜଣାଯାଇଛି। ତେବେ ଏନେଇ କାହାରି ପ୍ରତିକ୍ରିୟା ମିଳି ପାରିନି।












Click it and Unblock the Notifications