ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରରେ ଆସିଲା ଦୁଇଟି ବିଡ
ଆଜି ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ୨ଟି ଆବେଦନ ମିଳିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
ଭୁବନେଶ୍ୱର: ଆଜି ଥିଲା କରୋନା ଟିକା ପାଇଁ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରର ଶେଷ ତାରିଖ । ତେବେ ଆଜି ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ୨ଟି ଆବେଦନ ମିଳିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଟେଣ୍ଡରରେ ୨ଟି ବିଡ୍ ମିଳିଥିବା ଏବଂ ତାହା ଉପରେ ତର୍ଜମା ଚାଲିଥିବା କହିଛି ସ୍ୱାସ୍ଥ୍ୟ ବିଭାଗ ।

ତେବେ ରାଜ୍ୟ ସରକାର ବିଭିନ୍ନ ବିଦେଶୀ କମ୍ପାନୀଠାରୁ ୩କୋଟି ୮୦ ଲକ୍ଷ କରୋନା ଟିକା କିଣିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିସହ ଏହି ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟ ସରକାର ସରଳୀକରଣ କରିଥିବାରୁ ଏଣିକି ଫାଇଜର, ମଡର୍ଣ୍ଣା ଭଳି କମ୍ପାନୀ ଭାଗ ନେଇପାରିବେ।
କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପାଇଁ ଆହ୍ୱାନ ଦେଇଥିଲେ । ହେଲେ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାକୁ ଆଗ୍ରହ ଦେଖାଇନଥିଲେ କୌଣସି ଟିକା କମ୍ପାନୀ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କମ୍ପାନୀମାନେ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିବାକୁ ଚାହୁଁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠିରେ ଉଲ୍ଲେଖ କରିଥିଲେ ।
ସେହିପରି ପରେ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ସଙ୍କଟ ଦୂର କରିବା ନେଇ ଚିଠିରେ ସମସ୍ତଙ୍କ ସହମତି ଲୋଡ଼ିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଥିଲେ।












Click it and Unblock the Notifications