ପୁରୀରେ ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯାଉଛି ପ୍ରଶିକ୍ଷଣ; ପ୍ରଶାସକଙ୍କ ତତ୍ବାବଧାନରେ ପ୍ରଶିକ୍ଷଣ
ପୁରୀରେ ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ଉତ୍ତମ ଆଚରଣ, ବ୍ୟବହାର ନେଇ ସେବାୟତଙ୍କୁ ପ୍ରଶିକ୍ଷଣ । ନୀଳାଦ୍ରି ଭକ୍ତ ନିବାସରେ ସେବାୟତଙ୍କ ପ୍ରଶିକ୍ଷଣ ଶିବିର । ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସକଙ୍କ ତତ୍ବାବଧାନରେ ପ୍ରଶିକ୍ଷଣ ।
ଏପ୍ରିଲ 4 ଓ 5 ତାରିଖ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଗଣ, ଶ୍ରୀମନ୍ଦିର ଛତିଶା ନିଯୋଗ କର୍ମକର୍ତ୍ତା ଏହି ଶିବିରରେ ଉପସ୍ଥିତ ରହିବେ ।

ବିଶେଷ କରି ବରିଷ୍ଠ ସେବାୟତ ମାନେ ଯୁବ ସେବାୟତଙ୍କୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ କିଭଳି ବ୍ୟବହାର ପ୍ରଦର୍ଶନ କରିବେ ଏବଂ ମହାପ୍ରଭୁଙ୍କ ନୀତିକାନ୍ତିକୁ କିଭଳି ସଠିକ୍ ସମୟରେ ପାଳନ କରିବେ ସେନେଇ ପ୍ରଶିକ୍ଷଣ ଦେବେ । ତେବେ ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା ନେଇ ରାଜ୍ୟ ସରକାର ଭଲ ପଦକ୍ଷେପ ନେଇଥିବା ବେଳେ ଏହାକୁ ନିୟମିତ ଅନ୍ତରାଳେ ଆୟୋଜନ କରାଗଲେ ଅଧିକ ସୁଫଳ ମିଳିବ ବୋଲି ସେବାୟତ ମତ ରଖିଛନ୍ତି ।
ଶ୍ରୀମନ୍ଦିରରେ ବିଭିନ୍ନ ବିଶୃଙ୍ଖଳା ଓ ପରିଚାଳନା ବିଭ୍ରାଟକୁ ନେଇ ଆଇନଜୀବୀ ମୃଣାଳିନୀ ପାଢ଼ୀଙ୍କ ଦ୍ବାରା ଜୁନ୍ ୮, ୨୦୧୮ରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା । ମାମଲାର ଶୁଣାଣି କରି କୋର୍ଟ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଭକ୍ତଙ୍କୁ ସେବାୟତ ମାନେ ଭଲ ବ୍ୟବହାର ପ୍ରଦର୍ଶନ କରିବା, ଜବରଦସ୍ତ ଭକ୍ତଙ୍କ ଠାରୁ ଦାନ ଦକ୍ଷିଣା ନ ମାଗିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ପର୍ଯ୍ୟାୟରେ ଏହି ମାମଲାର ଶୁଣାଣି ହୋଇଥିଲା।
ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ସଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ ସୁପ୍ରିମକୋର୍ଟ ଆମିକସକ୍ୟୁରି ଏବଂ ତାଙ୍କୁ ସହାୟତା କରିବା ପାଇଁ ଆଇନଜୀବୀ ପ୍ରିୟା ହିଙ୍ଗୋରାନିଙ୍କୁ ସହ ଆମିକସ କ୍ୟୁରି ରୂପେ ନିଯୁକ୍ତି କରାଯାଇଥିଲା । ଉଭୟ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ବିସ୍ତୃତ ରିପୋର୍ଟ ଦାଖଲ କରିଥିଲେ । ଏହି ଆଧାରରେ ସୁପ୍ରିମକୋର୍ଟ ନଭେମ୍ବର ୪, ୨୦୧୯ରେ ୨୨ ଟି ନିର୍ଦ୍ଦେଶନାମା ଜାରି କରିଥିଲେ । ମାର୍ଚ୍ଚ ୨୯, ୨୦୨୩ରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମାଗୁଡ଼ିକର ଅନୁପାଳନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀମନ୍ଦିର ମାମଲାରେ ସୁପ୍ରିମକୋର୍ଟରେ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ସମୁଦାୟ ୨୬ ଥର ଶୁଣାଣି ହୋଇଥିଲା ।












Click it and Unblock the Notifications