ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା: ୨୭ ତାରିଖରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଭାରୀଯାନ ମନା
Durga Puja 2025: ଦୁର୍ଗାପୂଜା ସମୟରେ ଭିଡକୁ ଦୃଷ୍ଟିରେ ରଖି ସହର ମଧ୍ୟରେ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରୁଟ୍ରେ ଅପରାହ୍ନ ୨ଟାରୁ ରାତି ୨ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ କରିପାରିବ ନାହିଁ ।
୨୭ ତାରିଖରୁ ଅକ୍ଟୋର ୨ ପର୍ଯ୍ୟନ୍ତ ଏହି କଟକଣା ରହିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ଗୁରୁବାର ନିର୍ଦ୍ଦେଶନାମା ଜାରି କରାଯାଇଛି। ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତାରେ ମଧ୍ୟ କଟକଣା ରହିବ। ରସୁଲଗଡ଼ ଛକଠାରୁ ଲିଙ୍ଗିପୁର ଛକ ରାସ୍ତା ଓ ବାଣୀବିହାର ଛକଠାରୁ ଶିଶୁଭବନ ଛକ ରାସ୍ତାରେ ଭାରୀଯାନ ଚଳାଚଳ କରିପାରିବ ନାହିଁ।
ସେହିପରି ଆଚାର୍ଯ୍ୟବିହାର ଛକ ଠାରୁ କଳିଙ୍ଗହସ୍ପିଟାଲ ଛକ ରାସ୍ତା, ଆଚାର୍ଯ୍ୟ ବିହାର ଛକ ଠାରୁ ନିୟୁ ଏୟାରପୋର୍ଟ ଛକ ରାସ୍ତା, ଜୟଦେବ ବିହାର ଛକ ଠାରୁ ନନ୍ଦନକାନନ ଛକ ରାସ୍ତା, ଜୟଦେବ ବିହାର ଛକ ଠାରୁ ରାଜଭାବନ ଛକ ରାସ୍ତା, ସିଆର୍ପି ଛକ ଠାରୁ ପାୱାର ହାଉସ ଛକ ରାସ୍ତା, ଫାୟାର ଟ୍ରେନିଂ ସ୍କୁଲ ଛକ ଠାରୁ ଶିଶୁଭବନ ଛକ ରାସ୍ତା, ଖଣ୍ଡଗିରି ଛକ ଠାରୁ ପୋଖରୀପୁଟ ଛକ ରାସ୍ତା ଓ ୧୬ ନଂ ଜାତୀୟ ରାଜପଥର ବରମୁଣ୍ଡାଠାରୁ ପଳାଶୁଣୀ ପର୍ଯ୍ୟନ୍ତ ଉଭୟ ସର୍ଭିସ୍ ରୋଡ଼ରେ କଟକଣା ଲଗାଯାଇଛି।

ତେବେ ଖୋର୍ଦ୍ଧା ପଟୁ କଟକ ଆଡ଼କୁ ଆସୁଥିବା ଭାରୀଯାନଗୁଡିକ ଭୁବନେଶ୍ୱର ଆଡ଼କୁ ଆସିବାକୁ ଦିଆଯିବ ନାହିଁ। ସେହି ଗାଡ଼ିଗୁଡ଼ିକ ପିତାପଲି ଛକ ଠାରୁ ବାମ ମୋଡ ନେଇ ଚନ୍ଦକା-ବାରଙ୍ଗ ରାସ୍ତା ଦେଇ ବାଲିକୁଦାଠାରେ ଏନ୍ଏଚ୍-୧୬ରେ ମିଶିବେ। ସେହିପରି କଟକ ପଟୁ ଖୋର୍ଦ୍ଧା ଆଡ଼କୁ ଆସୁଥୁବା ଭାରୀଯାନଗୁଡ଼ିକ ବାଲିକୁଦା ଛକ ଦେଇ ପିତାପଲ୍ଲୀଠାରେ ଜାତୀୟ ଏନ୍ଏଟ୍-୧୬ରେ ମିଶିବେ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଆବଶ୍ୟକ ପଡ଼ିଲେ ପିତାପଲ୍ଲୀ ଛକ ଓ ବିରୂପା ବ୍ରିଜ୍ ଠାରୁ ଭାରୀଯାନ ଗୁଡ଼ିକର ଚଳାଚଳ ନିଷେଧ କରାଯିବ।
ତେବେ ନୟାପଲ୍ଲୀ ରାବଣ ପୋଡ଼ି ସମୟରେ ଏନ୍ଏଚ୍-୧୬ ଦେଇ କଟକ ପଟୁ ଆସୁଥିବା ଭାରୀଯାନ ବ୍ୟତୀତ ସମସ୍ତ ଗାଡିଗୁଡିକ ଜୟଦେବ ବିହାର ଠାରୁ ବାମ ପାଶର୍ବ ରାସ୍ତା ଦେଇ ବେହେରା ସାହି, ପାୱାର ହାଉସ ଏବଂ ୟୁନିଟ- ୮ ଡ଼ିଏଭି ସ୍କୁଲ ଛକ ଦେଇ ସି.ଆର.ପି ଛକ ଆଡ଼କୁ ଯିବ। ସେହିପରି ସମସ୍ତ ଗାଡିଗୁଡିକ ସି.ଆର.ପି ଛକ ଠାରୁ ଏକାମ୍ର କାନନ ରାସ୍ତା, ବିଜୁ ପଟ୍ଟନାୟକ କଲେଜ୍ ରାସ୍ତା ଦେଇ ଜୟଦେବ ବିହାର ଆଡ଼କୁ ଯିବେ। ଅନ୍ୟପକ୍ଷରେ ପୁରୀ ପଟୁ ବରମୁଣ୍ଡା ଆଡ଼କୁ ଆସୁଥିବା ବସଗୁଡ଼ିକ ଲିଙ୍ଗିପୁର ଛକ ଠାରୁ ପାଣ୍ଡରା ଛକ, କେଶୁରା ଛକ ଓ ହାଇଟେକ୍ ଛକ ଦେଇ ବରମୁଣ୍ଡା ବସଷ୍ଟାଣ୍ଡକୁ ଯିବ। ସେହିପରି ବରମୁଣ୍ଡା ପଟୁ ପୁରୀ ଆଡ଼କୁ ଯିବାକୁ ଚାହୁଁଥିବା ଗାଡ଼ିଗୁଡ଼ିକ ସମାନ ରାସ୍ତାରେ ଯିବ।
କୌଣସି ପ୍ରକାର ବସ୍ ସହର ମଧ୍ୟକୁ ଛଡ଼ାଯିବ ନାହିଁ। ସେହିପରି ପୁରୀ ପଟୁ କଟକ ଆଡ଼କୁ ଯାଉଥିବା ବସଗୁଡ଼ିକ ଲିଙ୍ଗିପୁର ଛକ ଦେଇ ବାଇପାସ ରୋଡରେ ଯିବ। କଟକ ପଟୁ ପୁରୀ ଆଡକୁ ଯିବାକୁ ଚାହୁଁଥିବା ଗାଡ଼ିଗୁଡ଼ିକ ବାଇସ ରୋଡ ଦେଇ ଯିବ। ମାଷ୍ଟର କ୍ୟାଣ୍ଟିନ୍ ବସ୍ ଷ୍ଟାଣ୍ଡରୁ କୌଣସି ପ୍ରକାର ବସ୍ ବାଣୀବିହାର ଛକ କିମ୍ବା ରବି ଟକୀଜ୍ ଛକ ଆଡ଼କୁ ଯାଇପାରିବେ ନାହିଁ। ଉକ୍ତ ଗାଡ଼ିଗୁଡ଼ିକ କଟକଣା ନଥୁବା ସମୟରେ ରାମ ମନ୍ଦିର ଛକ ଦେଇ ହାଉସିଂ ବୋର୍ଡ ଛକ ହୋଇ ଆଚାର୍ଯ୍ୟ ବିହାର ଛକ ରାସ୍ତାକୁ ବାହାରିବ।












Click it and Unblock the Notifications