ଆସନ୍ତାକାଲିର ଚନ୍ଦ୍ରଗ୍ରଣ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ, ଏହି ରାଶିରେ ପଡିବ ବିଶେଷ ପ୍ରଭାବ
ଆସନ୍ତାକାଲି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଦୃଶ୍ୟମାନ ହେବ ବ୍ଲଡମୁନ। ଲାଲ-ରକ୍ତିମ ଦିଶିବ ଚନ୍ଦ୍ର। ଓଡ଼ିଶା ସମେତ ଭାରତରେ ଏହା ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବ। ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ପୁଣେ, ଲକ୍ଷ୍ନୌ, ବେଙ୍ଗାଲୁରୁ, ଚଣ୍ଡୀଗଡ଼ ଓ ଦେଶର କିଛି ପ୍ରମୁଖ ସହରରେ ଦେଖାଯିବ ।
ରାତି ୯ଟା ୫୭ ମିନିଟରେ ଗ୍ରହଣ ସ୍ପର୍ଶ କରିବ। ରାତି ୧୧ଟା ୧ ମିନିଟରେ ଆରମ୍ଭ ହେବ ପୂର୍ଣ୍ଣଗ୍ରାସ ଗ୍ରହଣ। ରାତି ୧୧ଟା ୪୨ରେ ମଧ୍ୟ ଓ ରାତି ୧୨ଟା ୨୩ରେ ପୂର୍ଣ୍ଣଗ୍ରାସ ଗ୍ରହଣ ସରିବ। ରାତି ୧ଟା ୨୭ରେ ଗ୍ରହଣ ସର୍ବମୋକ୍ଷ ହେବ। ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ରବିବାର ଦିନ ଅପରାହ୍ଣ ୧୨ଟା ୫୭ ମିନିଟଠାରୁ ପାକତ୍ୟାଗ ଏବଂ ଦେବନୀତି ନିଷେଧ । ଚନ୍ଦ୍ରଗ୍ରହଣ ଅବଧି ପ୍ରାୟ ସାଢ଼େ ତିନି ଘଣ୍ଟା ରହିବ । ପୂର୍ଣ୍ଣ ଗ୍ରହଣ ୮୨ ମିନିଟ୍ ପାଇଁ ରହିବ।

ଚନ୍ଦ୍ର ଗ୍ରହଣ ଖାଲି ଆଖିରେ ଦେଖାଯିବ । ତେବେ ଦୂରବୀକ୍ଷଣ ବା ଟେଲିସ୍କୋପ୍ ଚନ୍ଦ୍ରର ଗର୍ତ୍ତ ଓ ରଙ୍ଗର ବିବରଣୀ ଦେଖିବାରେ ସାହାଯ୍ୟ କରିବ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଏକ ବିରଳ ମହାଜାଗତିକ ଘଟଣା । ଏଥିରେ ପୃଥିବୀ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ଆସି ଚନ୍ଦ୍ର ଉପରେ ନିଜର ଛାୟା ପକାଇବ। ଏହି ଛାୟାର ଗାଢ଼ ଅଂଶ ଚନ୍ଦ୍ରକୁ ଆଚ୍ଛାଦିତ କରିବ। ଫଳରେ ଚନ୍ଦ୍ର ଲାଲ- ରକ୍ତିମ ଦିଶିବ। ପୂର୍ଣ୍ଣ ଚନ୍ଦ୍ର ଗ୍ରହଣର ଶୀର୍ଷ ସମୟରେ ଚନ୍ଦ୍ର ପୂରାପୂରି ଅଦୃଶ୍ୟ ହୋଇନଥାଏ । ବରଂ ଗାଢ଼ ଲାଲ ବା ତାମ୍ରବର୍ଣ୍ଣ ରଙ୍ଗରେ ଉଜ୍ଜ୍ୱଳ ହୁଏ। ଅନେକ ସଂସ୍କୃତିରେ, 'ବ୍ଲଡ଼ ମୁନ୍ ' ପରିବର୍ତ୍ତନ ବା ରୂପାନ୍ତରଣର ପ୍ରତୀକ ଭାବେ ଦେଖାଯାଇଛି। ଯଦିଓ ବିଜ୍ଞାନ ଏହାର କାରଣ ସ୍ପଷ୍ଟ କରିଛି, ତଥାପି ଏହି ଘଟଣା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥାଏ।
ଚନ୍ଦ୍ରଗହଣ ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ରହିବ ବୋଲି ମତ ଦେଇଛନ୍ତି ଜ୍ୟୋତିଷ। ଜ୍ୟୋତିର୍ବିଦ ମିଲନ ବାନାର୍ଜୀଙ୍କ ମତରେ ଆସନ୍ତାକାଲି ରାହୁଗ୍ରସ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେଉଥିବାରୁ ଏହି ରାଶିର ଲୋକମାନେ ବିଶେଷ ଧ୍ୟାନ ଦେବା ଦରକାର । ଚନ୍ଦ୍ରଗ୍ରହଣର ୩ ମାସ ପୂର୍ବରୁ ଓ ପରବର୍ତ୍ତୀ ୩ ମାସ ଯାଏ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ବୃଷ, ମିଥୁନ, କର୍କଟ, ସିଂହ, କୁମ୍ଭ ଓ ମୀନ ରାଶି ପାଇଁ ଗ୍ରହଣ ଦର୍ଶନ ଅଶୁଭ । ଅନ୍ୟ ରାଶିର ଲୋକମାନେ ଚନ୍ଦ୍ରଗ୍ରହଣ ଦର୍ଶନ କରିପାରିବେ ।












Click it and Unblock the Notifications