ଆଜି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର:ଆଜି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଘଡ଼ଘଡ଼ି, ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଗଜପତି, ଗଞ୍ଜାମ, କନ୍ଧମାଳ, ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପଟେ ସାରା ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳି ଲାଗି ରହିଛି । ଦିନ ସାଢେ ୨ଟାରେ ସମ୍ବଲପୁରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା ତାପମାତ୍ରା ୪୩.୪ ଏବଂ ହୀରାକୁଦର ୪୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ୩୬.୮, ଗୋପାଳପୁରରେ ୩୫.୨, କେନ୍ଦୁଝରରେ ୩୨ ଡିଗ୍ରୀ, ପୁରୀ ୩୫, ଚାନ୍ଦବାଲି ୩୪.୨, ବାଲେଶ୍ୱରରେ ୩୩.୨, ପାରାଦୀପରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପାଗ ବିଶେଷ ପରିବର୍ତ୍ତନ ହେବ ନାହିଁ । ୩ ରୁ ୪ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଉପକୂଳ ଅଞ୍ଚଳରେ ଗୁଳୁଗୁଳି ଜାରି ରହିବ । କିଛି କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିବା ନେଇ ସୂଚନା ରହିଛି ।












Click it and Unblock the Notifications