ଆଜିଠୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା; ୧୧ ଦିନ ପାଇଁ ସମସ୍ତେ ଫେରିଯିବେ ଦ୍ବାପର ଯୁଗକୁ
ଆଜିଠୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା। ୧୧ ଦିନ ପାଇଁ ସମସ୍ତେ ଫେରିଯିବେ ଦ୍ବାପର ଯୁଗକୁ। ଆଜିଠୁ ଚାଲିବ କଂସରାଜ। ବରଗଡ଼ ସହର ପାଲଟିବ ମଥୁରାନଗରୀ। ଆଉ କଂସଙ୍କ ଅଟ୍ଟହାସ୍ୟ ଓ ଆଦେଶରେ ଥରହର ହେବ ମଥୁରାନଗରୀ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
୮ କିମି ପରିଧି ମଧ୍ୟରେ ୩ଟି ଦରବାର (ରାଜଦରବାର, ରଙ୍ଗମହଲ, ନନ୍ଦରାଜାଙ୍କ ଦରବାର) ଓ ୧୮ଟି ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଅଭିନୀତ ହେବ। ବହୁଦିନ ଧରି ଯାତ୍ରା ପାଇଁ ଚାଲିଥିବା ମଞ୍ଚ, ତୋରଣ ସହ କଳାକାରମାନଙ୍କ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏଥର ଯାତ୍ରାକୁ ଖୁବ ଆକର୍ଷଣୀୟ କରାଯିବାକୁ ନିଷ୍ପତ୍ତି ହୋଇଛି।
ଉଦ୍ଘାଟନୀ ଦିବସରେ ଅପରାହ୍ଣ ୨ଟାରେ ଗାନ୍ଧୀଛକରୁ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ସୂଚନା ଦେଇଛନ୍ତି। ଉଦ୍ଘାଟନୀ ଦିବସରେ ଅତିଥି ରୂପେ ସ୍ଥାନୀୟ ସାଂସଦ ଓ ବିଧାୟକଗଣ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ସେହିପରି ସଂଧ୍ୟା ୭ଟାରେ ହାଟପଦା ରାଜଦରବାରରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ। ରାମଜୀମନ୍ଦିରରେ ଦେବକୀ ଓ ବସୁଦେବଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମହାରାଜ କଂସଙ୍କ ସିଂହାସନ ଆରୋହଣ ସହ ଆରମ୍ଭ ହେବ ୧୧ ଦିନିଆ କଂସ ରାଜୁତି।
ଧନୁଯାତ୍ରା ପାଇଁ ବରଗଡ଼ ସହର ସାଜିବ ମଥୁରାନଗରୀ, ଅମ୍ବାପାଲି ପାଲଟିଯିବ ଗୋପପୁର ଓ ସହର ମଧ୍ୟରେ ବହି ଯାଉଥିବା ଜୀରା ନଦୀ ପାଲଟିଯିବ ଯମୁନା ନଦୀ l ଏବେ ମଞ୍ଚ ପ୍ରସ୍ତୁତ କଳାକାର ପ୍ରସ୍ତୁତ l ଆଉ ରାତି ପାହିଲେ ଆରମ୍ଭ ହେବାକୁ ଥିବା ଧନୁଯାତ୍ରାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ।












Click it and Unblock the Notifications