ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ନେଇ ବାଜିପାରେ ମୋହର
ଭୁବନେଶ୍ୱର: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଆଉ ଏହି ବୈଠକରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ନେଇ ବାଜିପାରେ ମୋହର । ପୁରୀ ବଡ଼ଦାଣ୍ଡ ସ୍ଥିତ ନୀଳଦ୍ରୀ ଭକ୍ତ ନିବାସ ଠାରେ ବସିବ ଏହି ବୈଠକ । ପୂର୍ବାହ୍ନ ୧୧ ଟା ୩୦ ମିନିଟରେ ଏହି ବୈଠକ ହେବ ।
ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଏହି ବୈଠକରେ ମୋହର ବାଜିବ । ଏହାପୂର୍ବରୁ ତିନି ଦିନ ଧରି ଅର୍ଥାତ୍ ଜାନୁଆରୀ ୧୫ ତାରିଖରୁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ। ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାରାୟଣ, ସଂକୀର୍ତ୍ତନ କରାଯିବ।
ସମସ୍ତ ମଠର ମଠାଧିଶ, ବରିଷ୍ଠ ବ୍ୟକ୍ତିବିଶେଷ, ସେବାୟତ, ଛତିଶା ନିଯୋଗ ମହାନାୟକ, ଶ୍ରୀମନ୍ଦିର ପୁରୋହିତ, ମୁକ୍ତିମଣ୍ଡପ ବ୍ରାହ୍ମଣ, ଶ୍ରୋତ୍ରୀୟ ବ୍ରାହ୍ମଣ ଉପସ୍ଥିତ ରହିବେ । ୧୫ ତାରିଖ ସକାଳ ୭ଟା ୩୦ରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ନୃସିଂହ ମନ୍ତ୍ରରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ ବୋଲି ଗତକାଲି ନୀତି ସବକମିଟି ବୈଠକରେ ଆଲୋଚନା ହୋଇଥିଲା ।
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏହି ବୈଠକରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସପି ଡଃ କନୱର ବିଶାଳ ସିଂ, ପରିଚାଳନା କମିଟି ସଦସ୍ୟଙ୍କ ସହ ବରିଷ୍ଠ ଅଧିକାରୀମାନେ ଭାଗ ନେବେ ।

ଜାନୁଆରୀ ୧୭ ତାରିଖ ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ଭବ୍ୟ ସମାରୋହରେ ପୂର୍ଣ୍ଣାହୁତି ଦେବେ। ତେଣୁ ଜାନୁଆରୀ ୧୨ ତାରିଖରୁ ଏନେଇ ସମସ୍ତ ପ୍ରସ୍ତୁତି ପର୍ବ ଆରମ୍ଭ ହେବ।
ଗତକାଲି ଶ୍ରୀସେତୁ ଜଗନ୍ନାଥ ବଲ୍ଲଭ ପାର୍କିଂର କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଥିଲେ ଗଜପତି । ପ୍ରଥମେ ଜଗନ୍ନାଥ ବଲ୍ଲଭରେ ହେଉଥିବା ମଲ୍ଟି ଲେଭର ପାର୍କିଂ, ତୀର୍ଥଯାତ୍ରୀ କେନ୍ଦ୍ର ନିର୍ମାଣ, ୩୭ ଶହ ବର୍ଗଫୁଟର ଧ୍ୟାନ ଯୋଗ କେନ୍ଦ୍ର, ୧୮୪ଟି ଦୋକାନ, କାର ପାର୍କିଂ କାର୍ଯ୍ୟର ସମୀକ୍ଷା କରିଥିଲେ ଗଜପତି ମହାରାଜା ଦିବ୍ୟସଂହ ଦେବ । ସମୀକ୍ଷା ବେଳେ ଗଜପତି ମହାରାଜାଙ୍କ ସହ ଉପସ୍ଥିତ ଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଉପଜିଲ୍ଲାପଳ ।












Click it and Unblock the Notifications