ଆଜି ବିଭିନ୍ନ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ , ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର କରିବେ ଆକଳନ
ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିରୋଧୀ ଦଳ ନେତା। ଫସଲ କ୍ଷୟକ୍ଷତିର ଅନୁଧ୍ୟାନ ସହ ଚାଷୀଙ୍କ ମନୋବଳ ବୃଦ୍ଧି ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ୩ଜଣ ମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତରେ ଯିବେ । ସେହିପରି ବିରୋଧୀ ଦଳ ନେତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପରଦିନ ଅର୍ଥାତ୍ ୩୦ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତି ସ୍ଥିତିର ସମୀକ୍ଷା କରିବା ପରେ ଆଜି ଜିଲ୍ଲା ଗସ୍ତରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ନୟାଗଡ଼ ଜିଲ୍ଲାର ରଣପୁର, ଗଜପତିର ଗୋସାଣୀ ଓ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା/ଛତ୍ରପୁର ବ୍ଲକ ଯାଇ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ ସହ ଚାଷୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି ।
ସେହିପରି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କଟକ ଓ ଜଗତସିଂହପୁର, ପ୍ରଭାତୀ ପରିଡ଼ା ଭଦ୍ରକ ଓ ବାଲେଶ୍ୱର, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଓ ଯାଜପୁର ଏବଂ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯିବେ ବୋଲି ସୂଚନା ମିଳିଛି ।












Click it and Unblock the Notifications