ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଡା ସୁରକ୍ଷାରେ ଭୁବନେଶ୍ୱର
ପ୍ରବାସୀ ଭାରତୀୟ ସମ୍ମେଳନ ଉଦ୍ଘାଟନ ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ବରରେ ପହଞ୍ଚିବେ। ରାତି ପାଖାପାଖି ୮ଟା ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରି ରାଜଭବନ ଯିବେ। ପର ଦିନ ଅର୍ଥାତ ଗୁରୁବାର ସମ୍ମେଳନକୁ ଉଦ୍ଘାଟନ କରିବେ। ସେହିପରି ୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଆସିବେ।

ଏହାଛଡ଼ା ବହୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଭିଭିଆଇପି ବି ସାମିଲ ହେବେ। ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀଙ୍କ ରାଜଭବନ ଆସିବା ସମୟରେ ରାସ୍ତାରେ ବହୁ ଲୋକଙ୍କ ସମାଗମ ନେଇ ସମ୍ଭାବନା ରହିଛି। ରୋଡ୍ ସୋ' ବି ହୋଇପାରେ। ତେଣୁ ଏହି ସମୟରେ ଯେଭଳି କୌଣସି ପ୍ରକାର ବିଶୃଙ୍ଖଳା ଦେଖା ନଯାଏ, ସେଥିପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭିଡିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମସ୍ତ ପ୍ରକାର ପ୍ରତିକୂଳ ସ୍ଥିତିକୁ କିଭଳି ସାମ୍ନା କରିବାକୁ ହେବ ଏଥିପାଇଁ କମିସନରେଟ୍ ପୁଲିସ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏଥିପାଇଁ ସାରା ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ପୁଲିସ ଡିଜି ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିବା ବେଳେ ପୁଲିସ କମିସନର ଏସ୍ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ, ଡିସିପି ପିନାକ ମିଶ୍ରଙ୍କ ନେତୃତ୍ବରେ ୫୦୦ରୁ ଊର୍ଦ୍ଧ୍ବ ଅଧିକାରୀ ଦାୟିତ୍ବରେ ରହିଛନ୍ତି। ସେହିପରି ୮୩ ପ୍ଲାଟୁନ୍ ପୁଲିସ ବଳ ସାଙ୍ଗକୁ ଏସ୍ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ସ୍କ୍ବାର୍ଡ, କେନ୍ଦ୍ରୀୟ ଗୁଇନ୍ଦା, ସିଏପିଏଫ୍, ଷ୍ଟ୍ରାଇକିଂ ଫୋର୍ସ, ଆଣ୍ଟି ସାବୋଟେଜ୍ ଟିମ୍, ଆଣ୍ଟି ଟେରରିଷ୍ଟ ଟିମ୍, ଅଗ୍ନିଶମ ଟିମ୍ ପୂରା ସଜାଗ ରହିଛନ୍ତି। ବ୍ଲୁ-ବୁକ୍ ଅନ୍ତର୍ଗତ ସୁରକ୍ଷା ନେଇ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ସୂଚନା ମିଳିଛି।












Click it and Unblock the Notifications