ଆଜି ପବିତ୍ର ଉତ୍କଳ ଦିବସ:ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର: ଆଜି ପବିତ୍ର ଉତ୍କଳ ଦିବସ । ୧୯୩୬ ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଥିଲା ଓଡ଼ିଶା । ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ । ୮୭ ବର୍ଷ ତଳେ ଆଜିର ଦିନରେ ଓଡ଼ିଶା ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା । ଆଜିର ଏହି ଖାସ ଦିନ ଅବସରରେ ଓଡ଼ିଶାର ବରପୁତ୍ର ମାନଙ୍କୁ ମନେ ପକାଉଛନ୍ତି ରାଜ୍ୟବାସୀ ।
ଏପ୍ରେଲ ୧ ଅର୍ଥାତ ଆଜିର ଦିନରେ ଓଡ଼ିଶା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିଲା । ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା ଦିବସକୁ ମନେ ରଖିବା ପାଇଁ ଏହି ଦିନକୁ ପାଳନ କରିଥାନ୍ତି କୋଟି କୋଟି ଓଡ଼ିଆ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ ।
ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ ତିନି ଦଶନ୍ଧି ଧରି ଲାଗିରହିଥିଲା ବିପ୍ଳବ । ପୂର୍ବରୁ ଉତ୍କଳ ଖଣ୍ତ ବିଖଣ୍ତିତ ହୋଇ ଅନ୍ୟ ରାଜ୍ୟ ସହ ମିଶିକରି ଥିଲା । ରାଜ୍ୟର ପଶ୍ଚିମ ଭାଗ ଅର୍ଥାତ୍ ଆଜିର ପଶ୍ଚିମ ଓଡ଼ିଶା ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିଲା, ଉତ୍ତର ଓଡ଼ିଶା ବଙ୍ଗ ପ୍ରଦେଶରେ ସାମିଲ ଥିଲା । ସେହିପରି କିଛି ଅଂଶ ବିହାର ଏବଂ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ରହିଥିଲା ।
କଳା, ସଂସ୍କୃତି ଏବଂ ବାଣିଜ୍ୟର ଏକ ପ୍ରମୁଖ ସ୍ଥାନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ସହିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସାର୍ ବାସୁଦେବ ସୁଧଳଦେବ, ରାଧାନାଥ ରାୟ, ଭୂବନାନନ୍ଦ ଦାସ, ଏ.ପି ପାତ୍ର ଏବଂ ଆହୁରି ଅନେକ ବୀର ପୁରୁଷଙ୍କ ନେତୃତ୍ୱରେ ଆନ୍ଦୋଳନ ତେଜିଥିଲା । ଯାହା ପରେ ପ୍ରଥମେ ନୂତନ ରାଜ୍ୟ ଭାବେ ଗଢି ଉଠିଥିବା ଓଡିଶା ୬ ଜିଲ୍ଲାକୁ ନେଇ ଗଠନ କରାଯାଇଥିଲା । ଏହି ଜିଲ୍ଲାଗୁଡିକ ଥିଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଏବଂ ଗଞ୍ଜାମ । ତେବେ ରାଜ୍ୟର ରାଜଧାନୀ ଥିଲା କଟକ । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲା ୩୦ ଜିଲ୍ଲାରେ ପରିଣତ ହୋଇଥିଲା ।












Click it and Unblock the Notifications