Kartik Month: କାର୍ତ୍ତିକ ମାସର ଆଜି ଶେଷ ସୋମବାର
କାର୍ତ୍ତିକ ମାସର ଆଜି ଶେଷ ସୋମବାର । ଏଥିପାଇଁ କଟକ ଆଠଗଡସ୍ଥିତ ବାବା ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଆଜି ରାତି ପ୍ରାୟ ୩ଟା ବେଳେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ଧବଳେଶ୍ୱରଙ୍କୁ ମହାସ୍ନାନ କରାଯାଇଥିଲା। ପରେ ମଇଲମ, ମଙ୍ଗଳ ଆଳତି ଆଦି ସମସ୍ତ ରୀତିନୀତି କରାଯାଇଥିଲା। ପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
ସେହିପରି ଆଜି ଶ୍ରୀମନ୍ଦିରରେ ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବଡ଼ଠାକୁର। ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ। ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ବସ୍ତ ପରିଧାନ କରି ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିଛନ୍ତି। ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କର ରାଧାଦାମୋଦର ବେଶ ଦେଖି ଭକ୍ତ ଆତ୍ମତୃପ୍ତି ଲାଭ କରିଛନ୍ତି।












Click it and Unblock the Notifications