ଆଜି ପବିତ୍ର ମୂଳାଷ୍ଟମୀ, ଶ୍ରୀକ୍ଷେତ୍ରରେ ମା ବିମଳାଙ୍କ ପୀଠରେ ଆରମ୍ଭ ହେଲା ଷୋଡଶ ପୂଜା
ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା । ଆଜି ମୂଳଷ୍ଟମୀ ଅବସରରେ ମାଆଙ୍କୁ ସହସ୍ରା କୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ଘଟ ସ୍ଥାପନ ସହିତ ଆବାହନ କରାଯିବ। ଏଥିପାଇଁ ଗଜପତିଙ୍କ ଶ୍ରୀନଅରରେ ୨୧ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟ ବରଣ କରାଯିବ । ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ପ୍ରଦାନ କରିବେ। ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ଏହି ଗୁଆ ନଡ଼ିଆ ବ୍ରାହ୍ମଣ ମାନଙ୍କୁ ଦେଇ ବରଣ କରିଵେ। ମା ବିମଳାଙ୍କ ପୀଠ ନିମନ୍ତେ ପୂଜକ, ଜଣେ ପରିଛା, ଜଣେ ଚଣ୍ଡୀପାଠକ, ମନ୍ତ୍ରଯାପକ,ସହସ୍ରନାମ ପାଠକଙ୍କୁ ବରଣ କରାଯିବ।

ଏଥିସହ ଶ୍ରୀମନ୍ଦିର ଭିତର ବେଢା ପରିସରରେ ମା ଭୁବନେଶ୍ୱରୀ,ମା ବାଟମଙ୍ଗଳା,ଓ ମା ଉତ୍ତରାୟଣୀ ପୀଠ ଲାଗି ପୂଜକ ଏବଂ ଚଣ୍ଡୀପାଠକ ବରଣ ହେଵେ । ଶ୍ରୀକ୍ଷେତ୍ର ମଧ୍ୟରେ ଥିବା ବିଭିନ୍ନ ଶକ୍ତୀପୀଠ ଯଥା ଦକ୍ଷିଣକାଳୀ, ଆଲମଚଣ୍ଡୀ ଓ କପିଳେଶ୍ୱରପୁର ଶାସନର ପଞ୍ଚମୁଖୀ ଠାକୁରାଣୀଙ୍କ ପୀଠରେ ଷୋଳପୂଜା ପାଇଁ ପୂଜକ,ଚଣ୍ଡୀପାଠକ ମାନଙ୍କୁ ମଧ୍ୟ ଆଜି ବରଣ କରାଯିବାର ପରମ୍ପରା ରହିଛି । ସେପଟେ ଶାରଦୀୟ ଦୁର୍ଗାପୂଜା ଅବସରରେ ସର୍ବତ୍ର ମାଆ ଦୁର୍ଗାଙ୍କ ପୂଜା ଚାଲୁଥିବା ବେଳେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଏକତ୍ର ଉପାସନାର ପରମ୍ପରା ରହିଛି । ଶ୍ରୀମନ୍ଦିରରେ ଆଜିଠାରୁ ଶାକ୍ତ ଓ ଶକ୍ତିଙ୍କ ଉପାସନା ସ୍ୱରୂପ ଦୁର୍ଗାମାଧବଙ୍କୁ ପୂଜାର୍ଚନା କରାଯିବ ।












Click it and Unblock the Notifications