ଆଜି ପବିତ୍ର ଅଶୋକାଷ୍ଟମୀ, ମାଉସୀଘର ଯିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ
ଆଜି ପବିତ୍ର ଅଶୋକାଷ୍ଟମୀ । ଅଣଲେଉଟା ରଥରେ ଚଢ଼ି ମାଉସୀଘର ଯିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଏବଂ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ । ପାପବିନାଶକାରୀ ଯାତ୍ରା ଭାବେ ଜଣାଶୁଣା ଏହି ରଥଯାତ୍ରା ଦେଖିବାକୁ ରାଜଧାନୀରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳୁଛି । ଏଥିପାଇଁ ମନ୍ଦିର ପ୍ରଶାସନଠାରୁ ଆରମ୍ଭ କରି ବିଏମ୍ସି ଓ ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡ଼ା କଡି କରିଛି ।
ସୂଚନା ଅନୁସାରେ, ଅପରାହ୍ଣ ୩ଟା ୩୦ ସମୟରେ ରଥ ଟଣା ହେବା ନେଇ ନୀତି ନିର୍ଘଣ୍ଟ କରାଯାଇଛି । ଭୋର ୫ଟା ସମୟରୁ ଆଳତି ଅବକାଶ ନୀତି ସମ୍ପନ୍ନ ହୋଇଛି । ସାଢ଼େ ୫ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣମେଲା ଦର୍ଶନ ଦେଇଛନ୍ତି । ଅନ୍ୟାନ୍ୟ ପୂଜାନୀତି ବିଧିମତେ ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବା ନେଇ ସୂଚନା ରହିଛି ।

୧୨ଟା ୨୦ରୁ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ । ରଥ ବିଜେସ୍ଥଳୀରେ ଠାକୁରଙ୍କ ପୂଜାର୍ଚ୍ଚନା ନୀତି କାର୍ଯ୍ୟ ୨ ଘଣ୍ଟା ମଧ୍ୟରେ ସାରି ରଥ ଟଣା ପ୍ରସ୍ତୁତି ଆରମ୍ଭ ହେବ । ସାଢ଼େ ୩ଟାରେ ରଥ ଗଡ଼ିବ । ରାମେଶ୍ୱର ମନ୍ଦିରରେ ରଥ ଲାଗିବା ପରେ ଠାକୁର ବିଜେ କରି ସାଢ଼େ ୭ଟାରେ ଅନ୍ୟାନ୍ୟ ନୀତିକାନ୍ତି କରାଯିବା ନେଇ ସୂଚନା ରହିଛି ।












Click it and Unblock the Notifications