ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର; କାକଟପୁର ମାଆ ମଙ୍ଗଳା ପୀଠରେ ଭକ୍ତଙ୍କ ଭିଡ଼, ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ
ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର, ଚଳଚଞ୍ଚଳ ମାଆଙ୍କ ପୀଠ । କାକଟପୁର ମାଆ ମଙ୍ଗଳା ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ। ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ ଯଜ୍ଞ। ସବୁଠି ଭକ୍ତିମୟ ପରିବେଶ।
ଚୈତ୍ର ମାସ ପ୍ରତି ମଙ୍ଗଳବାର ଭିନ୍ନ ଭିନ୍ନ ବେଶରେ ମା ସଜ୍ଜିତ ହୋଇଥାନ୍ତି । ଚଳିତ ବର୍ଷ ୫ ଟି ମଙ୍ଗଳବାର ପଡୁଛି । ସେହିପରି ଆଜିଠୁ ଚୈତ୍ର ମାସ ମଙ୍ଗଳବାର ବ୍ରତ ପାଳନ କରନ୍ତି ସାଧବା ସ୍ତ୍ରୀ ।
ହୋଲିରେ ଯାତ୍ରା ଆରମ୍ଭ ହେଉଥିବା ବେଳେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ମନ୍ଦିର ପ୍ରଶାସନ ପକ୍ଷରୁ ମାଆ ମଙ୍ଗଳାଙ୍କ ପାଇଁ ଏକ କେଜି ଓଜନର ସୁନା ମୁକୁଟ ପ୍ରସ୍ତୁତ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସକାଳୁ ନୀତିକାନ୍ତି ସରିବା ପରେ ଧାଡ଼ିରେ ଯାଇ ମାଆଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଝାମୁ ଯାତ୍ରା ପାଇଁ ମାନସିକଧାରୀ ମହିଳାଙ୍କ ପନ୍ଥେଇ ପୂଜା, ପାଟୁଆ ନୃତ୍ୟ, ଯାଦବ ଭାଇଙ୍କ ଲଉଡ଼ି ଖେଳର ପରମ୍ପରା ରହିଛି ।
କିମ୍ବଦନ୍ତୀ ଅନୁସାରେ ଚଇତି ନାମକ ଜଣେ ହାଡ଼ି ଜାତିର ମହିଳା ଚୈତ୍ର ମାସର ପ୍ରତି ମଙ୍ଗଳବାର ଦିନ ଘରଦ୍ୱାର ଲିପାପୋଛା କରି ଝୋଟି ପକାଉଥିଲେ । ବିଭିନ୍ନ ପ୍ରକାର ଫଳ, ଫୁଲ, ମଦ, ମାଂସ ଓ ଭୋଗରେ ସେ ମଙ୍ଗଳାଙ୍କୁ ପୂଜା କରୁଥିଲେ । ଦିନେ ରାଜନବର ଓଳାଇବାକୁ ଯାଇଥିବା ବେଳେ ସକାଳୁ ସକାଳୁ ରାଜାଙ୍କ ମୁହଁକୁ ଦେଖି ଅଶୁଭ ହେବ ମନେମନେ ଆଶଙ୍କା କରିଥାଆନ୍ତି । ରାଜା ଥିଲେ ଅପୁତ୍ରିକ I ଚଇତି ନିଜକୁ ସଂଯତ କରି ନପାରି ରାଜାଙ୍କୁ ଆଣ୍ଠୁକୁଡ଼ା କହିଦେଲେ । ରାଜା ଭୀଷଣ ରାଗିଗଲେ ଆଉ ଚଇତି ସାତପୁଅଙ୍କୁ ଢିଙ୍କିରେ କୁଟାଇ କାଳୁଆ ଗଣ୍ଡରେ ଭସାଇଦେବାକୁ ଆଦେଶ ଦେଲେ ।

ପୁତ୍ରମାନଙ୍କ ବିୟୋଗ ଶୋକରେ ଥାଇ ମଧ୍ୟ ଚଇତି ମଙ୍ଗଳାଙ୍କୁ ମଦ ମାଂସ ଆଦି ଭୋଗ ଦେଇ ପୂଜାକରି ଦୁବ ଭୋଗ ନେଇ ମଙ୍ଗଳାଙ୍କୁ ସ୍ମରଣକରି କାଳୁଆ ଗଣ୍ଡରେ ପକାଇଲେ । ଶେଷରେ ମଙ୍ଗଳା କୃପା କରିବାରୁ ସବୁପୁଅ ବଞ୍ଚିଉଠିଲେ । କିଏ ଘୁମୁରା ବଜାଇଲା ତ ଆଉକିଏ ଢୋଲ ବଜାଇଲା । ପରିଶେଷରେ ରାଜା ଚଇତିଠାରୁ ଚଇତି ମଙ୍ଗଳବାର ଓଷାର ମହିମା ଶୁଣିଛନ୍ତି । ତାଙ୍କର ଅନେଶତ ରାଣୀ ମଙ୍ଗଳା ଓଷା ବିଧି ଅନୁସାରେ କରିଛନ୍ତି ଓ ପୁତ୍ରବତୀ ହୋଇଛନ୍ତି ।












Click it and Unblock the Notifications