Manabasa Gurubara 2025: ଆଜି ମାଣବସା ଗୁରୁବାର ପ୍ରଥମ ପାଳି; କଣ ରହିଛି ପାଳନର ବିଧି ?
ମାଣବସା ଗୁରୁବାର ଓଷା କୃଷି ସହିତ ଜଡିତ ଓଡ଼ିଶାର ଏକ ମହାନ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ। ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ। ପ୍ରତି ବିବାହିତ ମହିଳା ଏହି ପର୍ବ ପାଳିଥାନ୍ତି ।
ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି। ମାର୍ଗଶିର ମାସରେ ପୂଜା ଘରକୁ ଧାନ ମେଣ୍ଟି ବା "ଧାନବେଣୀ"ରେ ସଜାଯାଇଥାଏ। ଧାନକେଣ୍ଡାକୁ ଗୁନ୍ଥି ଏହି ବେଣୀ ତିଆରି କରାଯାଏ।
ଏମିତି ନାଁ କାହିଁକି:
ପ୍ରତ୍ୟେକ ପର୍ବ ପର୍ବାଣୀର ପଛରେ କିଛି ନା କିଛି ଗୋଟେ କାରଣ ରହିଥାଏ। ସେହିପରି ମାଣ ବସାଇବାରୁ "ମାଣବସା" ନାଁ ଆସିଛି। ପ୍ରାଚିନ କାଳରେ ଚାଉଳ ଆଦି ଶସ୍ୟ ମାପିବା ପାଇଁ ମାଣ ବ୍ୟବହାର ହେଉଥିଲା। ଏହି ଓଷାରେ ଧାନମାଣ ବସାଇ ତାହାକୁ ପୂଜା କରାଯାଉଥିବାରୁ ଓଷାଟିକୁ ମାଣବସା ବୋଲି କୁହାଯାଏ।

ପାଳନ କରିବାର ବିଧି:
ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ। ଚାଷୀ ଧାନ ଅମଳ କରି ଘରକୁ ଆଣିବା ଆଗରୁ ତା'ର ଘରଣୀ ଏଥିରୁ ଧଳାଧାନର ଶିଶା ବାଛି ଏଥିରେ ବେଣୀ ବାନ୍ଧି ମେଣ୍ଟି ବା ମେଣ୍ଟା ପ୍ରସ୍ତୁତ କରିଥାଏ। ଗୁରୁବାର ଓଷାର ପୂର୍ବଦିନରୁ ଘର ଦ୍ୱାର ଅଗଣା ଓ ଘର ଚାରିପାଖ ଗୋବର ମାଟିରେ ଲିପା ପୋଛା କରି ପରିଷ୍କାର କରିଥାଏ। ଅମଳ ପରେ ଖଳାରେ ଥିବା ଧାନ ଗଦାକୁ ଅନ୍ନ ଓ ଧନର ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ବୋଲି ମାନି ଏହି ଓଷା ପାଳନ କରାଯାଇଥାଏ।
ପୂଜା କାଳରେ ଧୂପ, ଦୀପ ଓ ନୈବେଦ୍ୟ ଆଦି ଅର୍ପଣ କରାଯାଏ। ଲକ୍ଷ୍ମୀଙ୍କ ପାଖରେ ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ) ଲଗାଯାଏ। ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ।
ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ମା'ଙ୍କ ପାଖରେ ଲାଗି କରାଯାଇଥାଏ। ଲକ୍ଷ୍ମୀଙ୍କୁ ବାଳଭୋଗରେ ଛେନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ। ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପରେ ଲାଗିହେବା ପାଇଁ ଖିରି ବା ତରଣ, ଚକୁଳିପିଠା, ତରକାରି ଇତ୍ୟାଦି ପ୍ରସ୍ତୁତ କରାଯାଇ ଶ୍ରଦ୍ଧାର ସହ ଭୋଗ ଲଗାଯାଏ। ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି। ଏହାକୁ ପରିବାର ଛଡ଼ା ଅନ୍ୟ କାହାକୁ ନ ଦେବାର ନିୟମ ଅଛି।
ଗୋଧୂଳି ସମୟରେ ସନ୍ଧ୍ୟା ଧୂପରେ ଆଉଥରେ ବାଳଧୂପ ପରି ଭୋଗ ଲଗାଯାଇ ସଂଧ୍ୟା ପୂଜା କରାଯାଏ। ୨ୟ ଗୁରୁବାରରେ ଚିତଉପିଠା, ଦହିକାଲୁଆ, ୩ୟରେ ଖେଚୁଡ଼ି-ଡାଲମା ଏବଂ ୪ର୍ଥରେ ମଣ୍ଡା ପିଠା ଭୋଗ ଲାଗି ହୋଇଥାଏ।
ମାର୍ଗଶିର ମାସର ଶେଷ ଗୁରୁବାର ବ୍ରତ ସାରି ଉଜୁଆ ଯାଏ। ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ। ପୂଜାର ଅନ୍ୟ ସମସ୍ତ ସଜକୁ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ। ପରେ ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ। ଏହାକୁ ମାଣଧାନ ଜାଉ ବୋଲି କୁହାଯାଏ।












Click it and Unblock the Notifications