ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ: କାହିଁକି ପାଳନ ହୁଏ ଏହି ଦିବସ ?
ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ । ପ୍ରତ୍ୟେକ ବର୍ଷ ଫେବୃଆରୀ ୨୧ ତାରିଖରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୁଏ । ବିଶ୍ବରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ଗତ ୨୦୦୦ ମସିହାରେ ଜାତିସଂଘ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିବାକୁ ଘୋଷଣା କରିଥିଲା ।
ଅନ୍ତର୍ଜାତୀୟ ମାତୃଭାଷା ଦିବସର ଇତିହାସ
୧୯୯୯ ନଭେମ୍ବର ୧୭ ତାରିଖରେ UNESCO ପ୍ରଥମେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିବାକୁ ଅନୁମୋଦନ ଦେଇଥିଲା । ୨୦୦୦ ମସିହା ଫେବୃଆରୀ ୨୧ରେ ପ୍ରଥମ ଥର ପାଇଁ UNESCO ଅଧୀନରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ଥିଲା ସମଗ୍ର ବିଶ୍ୱରେ ଭାଷାଭିତ୍ତିକ ଏବଂ ସାଂସ୍କୃତିକ ବିବିଧତା ଏବଂ ବହୁଭାଷୀତାକୁ ପ୍ରୋତ୍ସାହିତ କରିବା ତଥା ସୁରକ୍ଷା ଦେବା ।
ଏହି ଦିବସଟି ୧୯୫୨ ମସିହାରେ ସେତେବେଳର ପାକିସ୍ତାନରେ ବଙ୍ଗଳା ଭାଷାକୁ ଦୁଇଟି ରାଷ୍ଟ୍ରୀୟ ଭାଷାର ମାନ୍ୟତା ଦାବୀ କରୁଥିବା ଢାକା ବିଶ୍ୱବିଦ୍ୟାଳୟ, ଜଗନ୍ନାଥ ବିଶ୍ୱବିଦ୍ୟାଳୟ, ଢାକା ମେଡ଼ିକାଲ କଲେଜର ଛାତ୍ରମାନଙ୍କ ଅଧୁନା ବଙ୍ଗଳାଦେଶର ରାଜଧାନୀ ଢାକାର ଉଚ୍ଚନ୍ୟାୟାଳୟ ନିକଟରେ ପୁଲିସ ଗୁଳିରେ ପ୍ରାଣ ହରାଇବାର ସ୍ମୃତିରେ ପାଳିତ ହୋଇଥାଏ ।

୧୯୫୨ର ବାଂଲାଦେଶ ଭାଷା ଆନ୍ଦୋଳନ ଦିବସକୁ ସ୍ମରଣ କରାଯାଇଥାଏ । ୨୧ ଫେବୃୟାରୀରେ ବାଂଲାଦେଶୀ ଭାଷା ଆନ୍ଦେଳନରେ ରାଜଧାନୀ ଢାକାରେ ୪ ଜଣ ବେଙ୍ଗଲୀ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ବଳିଦାନକୁ ସମ୍ମାନ ଜଣାଇ ଏହି ଦିନ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯିବା ପାଇଁ ଜାତିସଂଘ ନିଷ୍ପତ୍ତି ନେଇଥିଲା। ପରେ ଜାତିସଂଘ ସାଧାରଣ ପରିଷଦ ୨୦୦୮କୁ ଅନ୍ତର୍ଜାତୀୟ ଭାଷା ବର୍ଷ ଭାବେ ଘୋଷଣା କରି ପୁଣି ଏହାର ମହତ୍ତ୍ୱକୁ ପ୍ରତିପାଦନ କରିଛି। ୨୦୦୨ରୁ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନ ନେଇ ଏହି ଦିବସ ପାଳନ କରାଯାଇଆସୁଅଛି। ଉକ୍ତ ଦିବସର ପ୍ରଥମ ସ୍ଲୋଗନ ଥିଲା-'ଭାଷା ବିବିଧତା : ବିପଦରେ ୩ ହଜାର ଭାଷା'।
ଓଡ଼ିଆ ଭାଷା ଆମ ସାହିତ୍ଯ, ସଂସ୍କୃତି, ଅସ୍ମିତାର ଅନନ୍ୟ ପରିଚୟ। ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଓଡ଼ିଆ ଭାଷାର ରହିଛି ସ୍ୱତନ୍ତ୍ରତା। ଆମ ଭାଷାର ସୁରକ୍ଷା ସହ ଏହାର ଗରିମା ଅକ୍ଷୁର୍ଣ୍ଣ ରଖିବାରେ ଆମ ସାରସ୍ଵତ ସାଧକମାନଙ୍କ ଅବଦାନ ଅତୁଳନୀୟ। ଆସନ୍ତୁ ଓଡ଼ିଆ ଭାଷାରେ ଭଲ ସାହିତ୍ଯ ସୃଷ୍ଟି ସହ ଏହାର ବହୁଳ ବ୍ୟବହାର ଏବଂ ପ୍ରଚାର ପ୍ରସାର ଦିଗରେ ଏକ ହୋଇ କାମ କରିବାକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ସଂକଳ୍ପବଦ୍ଧ ହେବା।












Click it and Unblock the Notifications