ଆଜି ଅନବସର ଘରେ ବିରାଜିତ ମହାପ୍ରଭୁଙ୍କ ଘଣାଲାଗି; ଶ୍ରୀପୟର ମୁଦା ଉପଲକ୍ଷେ ପାଟଡ଼ୋର ଓ ଖଳି ପ୍ରସାଦ ହେବ ଲାଗି
ଆଜି ଅନବସର ଘରେ ବିରାଜିତ ମହାପ୍ରଭୁଙ୍କ ଘଣାଲାଗି । ଶ୍ରୀପୟର ମୁଦା ଉପଲକ୍ଷେ ପାଟଡ଼ୋର ଓ ଖଳି ପ୍ରସାଦ ଲାଗି ହେବ । ଚଳିତ ବର୍ଷ ଶ୍ରୀଜଗନ୍ନାଥଙ୍କର ଘଣା ଲାଗି କରାଯିବ । ଗୋପନୀୟ ଭାବେ ଘଣା ଲାଗି ପରେ ଖଳି ଲାଗି ହେବ । ଆସନ୍ତାକାଲି ଦତ୍ତମହାପାତ୍ର ବନକ ଲାଗି ଆରମ୍ଭ କରିବେ ।
ଆଜି ଘଣ୍ଟ, ଛତା, କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯିବ । ଶୁଦ୍ଧ ସୁଆରଙ୍କଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୁପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିବେ । ଭିତର ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସମ୍ପନ୍ନ ହେବ । ଏଥିପୂର୍ବରୁ ବିଗ୍ରହଙ୍କୁ ଗୋପନ ସେବାରେ ରକ୍ତ ବସ୍ତ୍ର ଆବରଣ କରାଯିବ ।

ଗୋପନୀୟତା ରକ୍ଷା କରି ଦଇତାପତି ଓ ପତିମହାପାତ୍ର ସେବକମାନେ ଏକ ସ୍ୱତନ୍ତ୍ର ଶୈଳିରେ ଶ୍ରୀଜିଉଙ୍କୁ ରକ୍ତବସ୍ତ୍ର ଆବରଣ କରିବେ । ଏହି ଖଳିକୁ ଶୁଦ୍ଧ ସୁଆରମାନେ ନିଜନିଜ ବାସଭବନରେ ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରିଥାନ୍ତି । ଏହି ଖଳି ବିଜେ ପାଇଁ ଶ୍ରୀମନ୍ଦିରରୁ ଘଣ୍ଟ, ଛତା ସହ ଡକାରା ଯାଇଥାଏ । ବିଜେ କାହାଳି, ବଜୟନ୍ତ୍ରୀ, ଘଣ୍ଟଛତା ସହ ଶୋଭାଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ନିମନ୍ତେ ତିନି ଶୁଦ୍ଧ ସୁଆର ଅଧିବାସିତ ଖଳି ପ୍ରସାଦକୁ ଶ୍ରୀମନ୍ଦିରକୁ ବିଜେ କରାଇବେ । ଏହା ପୂର୍ବରୁ ଏହି ଖଳିକୁ ଶୁଦ୍ଧ ସୁଆରଙ୍କ ବାସ ଭବନରେ ଖଳି ହାଣ୍ଡିକୁ ମହିଳାମାନେ ବନ୍ଦାପନା କରିବେ । ବିଜେ କାହାଳି ବାଜିବା ପରେ ବରକନ୍ଦାଜଙ୍କ ସୁରକ୍ଷା ବଳୟ ଭିତରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ଶ୍ରୀମନ୍ଦିରକୁ ବିଜେ କରିବ । ଶୁଦ୍ଧସୁଆର ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ଆଜି ବିଳମ୍ବିତ ରାତିରେ ଏହି ଖଳିକୁ ଶ୍ରୀବିଗ୍ରହଙ୍କୁ ଦଇତାପତିମାନେ ଲାଗି କରିବେ ।












Click it and Unblock the Notifications