ଆଜି ପବିତ୍ର ଗଣେଶ ଚତୁର୍ଥୀ: ସବୁଠି ଚାଲିଛି ବିଘ୍ନ ବିନାଶକଙ୍କ ପୂଜା
ବକ୍ରତୁଣ୍ଡଂ ମହାକାୟ
ସୂର୍ୟ କୋଟି ସମପ୍ରଭ।
ନିର୍ବିଘ୍ନମ୍ କୁରମେ ଦେବ
ସର୍ବ କାର୍ଯ୍ୟେଷୁ ସର୍ବଦା ।
ଆଜି ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥି । ପବିତ୍ର ଗଣେଶ ଚତୁର୍ଥୀ । ସବୁଠି ଚାଲିଛି ବିଘ୍ନ ବିନାଶକଙ୍କ ପୂଜା । ସବୁଠି ଧୁମ୍ଧାମରେ ପାଳନ ହେଉଛି ଗଣେଶ ପୂଜା । ଏନେଇ ସବୁଠି ଉତ୍ସବର ମାହୋଲ । ଗାଁରୁ ସହର, ସବୁଠି ଉତ୍ସାହର ସହିତ ଗଣପତିଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଲୋକେ । ଶିକ୍ଷାନୁଷ୍ଠାନରେ ମଧ୍ୟ ଆରାଧନା କରିବେ ଛାତ୍ରଛାତ୍ରୀ।
ମୁଖ୍ୟତଃ ମହାରାଷ୍ଟ୍ରରେ ଏହି ଦିନକୁ ବେଶ୍ ଧୂମଧାମରେ ପାଳନ କରାଯାଏ । ସେହିପରି ଦେଶର ଅନ୍ୟାନ୍ୟ ପ୍ରଦେଶରେ ମଧ୍ୟ ବଡ଼ ଉତ୍ସାହ ସହ ଗଣେଶ ପୂଜା ପାଳନ କରାଯାଏ । ଗଣେଶ ପ୍ରଥମ ପୂଜ୍ୟ ଦେବତା ହୋଇଥିବାରୁ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟର ଆରମ୍ଭ ଗଣେଶଙ୍କ ପୂଜାଠୁ ଆରମ୍ଭ ହୋଇଥାଏ । ଆଲୋକମାଳା ମଣ୍ଡିତ ତୋରଣରେ ସୁସଜ୍ଜିତ ମଣ୍ଡପ ଗୁଡ଼ିକ ଆକର୍ଷକ ହୋଇଥାନ୍ତି । ଘରଠୁ ଆରମ୍ଭ କରି ବିଭିନ୍ନ କ୍ଲବ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ଗଣେଶ ପୂଜାକୁ ନେଇ ବିଶେଷ ପ୍ରସ୍ତୁତି ଦେଖିବାକୁ ମିଳିଛି । ଓଡ଼ିଶାର ଜଟଣୀରେ ଏହା ୧୧ଦିନ ଧରି ପାଳିତ ହୋଇଥାଏ ।
ଯେକୌଣସି ଦେବଦେବୀଙ୍କ ପୂଜା ବା ଉତ୍ସବ, ଅନ୍ୟ କୌଣସି ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟ, ଗଣେଶଙ୍କ ପୂଜା ବ୍ୟତୀତ ଆରମ୍ଭ କରାଯାଏ ନାହିଁ। ତେଣୁ ସମସ୍ତ କାର୍ଯ୍ୟରେ ସେ ଅଗ୍ରପୂଜ୍ୟ। ମହାପ୍ରଭୁ ଗଜାନନ ଧରାକୁ ଆସିଥିବାରୁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପ୍ରଭୁଙ୍କ ସ୍ବାଗତକୁ ନେଇ ଗଗନ ପବନ ଉତ୍ସବ ମୁଖର ହୋଇଥିବା ଦେଖିବାକୁ ମିଳିଛି।
ଗଣେଶ ଆଦିଦେବ ଭାବରେ ପରିଚିତ । ସେ ସବୁଯୁଗରେ ଅବତାର ନେଇଥିବାର କୁହାଯାଏ ।
ସତ୍ୟ ଯୁଗରେ ଋଷି କଶ୍ୟପ ଓ ଅଦିତିଙ୍କ ଘରେ ମହଙ୍କତ ବିନାୟକ ରୂପରେ ଜନ୍ମ ନେଇ ଦେବାନ୍ତକ ଓ ନରାନ୍ତକ ନାମକ ରାକ୍ଷସଙ୍କୁ ବଧ କରିଥିଲେ।
ତ୍ରେତୟା ଯୁଗରେ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ଉମାଙ୍କ ଘରେ ଜନ୍ମି,ଗଣେଶ ରୂପରେ ଜନ୍ମିସିନ୍ଧୁ ନାମକ ରାକ୍ଷସକୁ ବଧ କରିବା ସହ ବ୍ରହ୍ମାଙ୍କ ପୁତ୍ରି ଦ୍ୱୟ ରିଦ୍ଧି ଓ ସିଦ୍ଧିଙ୍କୁ ବିବାହ କରିଥିବାର ପୁରାଣରେ ବର୍ଣ୍ଣିତ।
ଦ୍ୱାପର ଯୁଗରେ ଗଣେଶ ରୂପରେ ପାର୍ବତୀଙ୍କ ପୁତ୍ର ଭାବରେ ପୁରାଣରେ ବର୍ଣ୍ଣିତ।
କଳି ଯୁଗରେ ଭବିଷ୍ୟ ପୁରାଣ ଅନୁସାରେ ଧୁମ୍ରକେତୁ ରୂପରେ ଅବତାର କଥାବର୍ଣ୍ଣିତ ଅଛି।
ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ଦିନ ବିନାୟକ ବ୍ରତ ପାଳିତ ହୁଏ। ବିନାୟକ ବ୍ରତକଥାରେ ଉଲ୍ଲେଖ ରହିଛି ଯେ ଏହି ବ୍ରତର ମାହାତ୍ମ୍ୟ ସ୍କନ୍ଧ ପୁରାଣରେ ବର୍ଣ୍ଣନା କରାଯାଇଛି ।ଗୋମତୀ ନଦୀ କୂଳରେ ସୂତ ମୁନି ଅନ୍ୟ ଋଷିମାନଙ୍କର ଜିଜ୍ଞାସାକୁ ପ୍ରଶମନ କରି ବିନାୟକ ବ୍ରତ ପାଳନ କଲେ ମନୁଷ୍ୟମାନେ କାର୍ଯ୍ୟସିଦ୍ଧି, ଅର୍ଥପ୍ରାପ୍ତି, ସୁତ-ସୌଭାଗ୍ୟ-ସଂପଦ ଲାଭ କରି ପାରିବେ ବୋଲି ବୟାନ କରିଛନ୍ତି। ଏହି ବ୍ରତର ବିଧିବିଧାନ ସ୍ୱୟଂ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଛନ୍ତି। ଏହି ବ୍ରତ ପାଳନ କରି ଯୁଧିଷ୍ଠିର ରାଜ୍ୟ ଫେରି ପାଇଥିଲେ। ସେଥିପାଇଁ ଗଣପତିଙ୍କର ନାମ ସିଦ୍ଧି ବିନାୟକ।

ମହାରାଷ୍ଟ୍ରରେ ଗଣେଶଙ୍କର ପୂଜା ବଡ଼ ଧୂମଧାମରେ ପାଳନ କରାଯାଏ। ମହାରାଷ୍ଟ୍ରରେ ହିନ୍ଦୁମାନେ ଅଷ୍ଟବିନାୟକଙ୍କର ଦର୍ଶନ କରିଥାନ୍ତି। ଏହି ଅଷ୍ଟବିନାୟକ ମନ୍ଦିର ଗୁଡ଼ିକ ମହାରାଷ୍ଟ୍ରର ନିମ୍ନ ସ୍ଥାନରେ ଦେଖିବାକୁ ମିଳେ। ଏହି ସମସ୍ତ ମନ୍ଦିର ପୁଣେ ସହରର ନିକଟବର୍ତୀ ଇଲାକାରେ ଅବସ୍ଥିତ ।
ଶାସ୍ତ୍ର ମତରେ ପ୍ରଥମେ ମୋରେଗାଁର ମୋରେଶ୍ୱରଙ୍କୁ ଦର୍ଶନ କରି ସିଦ୍ଧଟେକ, ପାଳି, ମହାଡ଼, ଥେଉର, ଲେଣ୍ୟାଣ୍ଡ୍ରି, ଓଝାର, ରଞ୍ଜନଗାଁ ଓ ପୁଣିଥରେ ମୋରେଗାଁ ଗଣପତିଙ୍କର ଦର୍ଶନ କଲେ ଅଷ୍ଟବିନାୟକ ଯାତ୍ରା ସଂପୂର୍ଣ ହୁଏ ।
ବିଘ୍ନରାଜ ବା ବିଘ୍ନେଶ ହୋଇଥିବାରୁ ଗଣେଶଙ୍କୁ ପୂଜା କରି ଯେକୌଣସି କାର୍ଯ୍ୟର ଶୁଭାରମ୍ଭ କଲେ ତାହା ନିର୍ବିଘ୍ନରେ ସମାପ୍ତ ହୋଇଥାଏ। ବିଶେଷ କରି ଓଡ଼ିଶାର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ ।












Click it and Unblock the Notifications