ଆଜି ଚନ୍ଦନଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ଶ୍ରୀଜିଉ
ପୁରୀ: ଆଜି (ରବିବାର) ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା । ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଣିବିମାନରେ ଆସିବେ ଚଳନ୍ତି ପ୍ରତୀମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ପାଲିଙ୍କିରେ ରାମକୃଷ୍ଣଙ୍କ ସହ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ । ନନ୍ଦା ଓ ଭଦ୍ରା ଜଳକ୍ରୀଡ଼ା କରାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ଚାହିଁ ରହିଛନ୍ତି । ତେବେ ଶନିବାର ପୂଜାପଣ୍ଡା ସେବାୟତ ଚନ୍ଦନ କୁଣ୍ଡ ସଂସ୍କାର କରିଥିବା ବେଳେ ଶ୍ରୀମନ୍ଦିରରେ ଚନ୍ଦନ ଅଧିବାସ ନୀତି ସମ୍ପନ୍ନ ହୋଇଛି ।

ମହାପ୍ରଭୁଙ୍କ ସହିତ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ ଜଳକ୍ରୀଡ଼ା କରିବେ। ତେଣୁ ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କ ଜଳକ୍ରୀଡ଼ା ଦେଖିବା ଲାଗି ଭକ୍ତଙ୍କ ପ୍ରବଳ ଭିଡ଼ ହେବା ସମ୍ଭାବନା ରହିଛି । ତେଣୁ ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।
ଭିଡ଼ର ସୁଯୋଗ ନେଇ ଲୁଟେରାମାନେ ଲୁଟ୍ପାଟ, ପକେଟ୍ମାର କରିବା ସମ୍ଭାବନା ରହିଛି । ଏଥିପ୍ରତି ସତର୍କତା ଅବଲମ୍ବନ କରିଛି ପୋଲିସ । ସାଦାପୋଷାକରେ ପୋଲିସ କର୍ମଚାରୀମାନେ ଭିଡ଼ ମଧ୍ୟରେ ରହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିବେ ।
ଚନ୍ଦନ ଯାତ୍ରା ପାଇଁ ଦୁଇଜଣ ଅତିରିକ୍ତ ଏସ୍ପି, ୩ ଡିଏସ୍ପି, ୭ ଇନ୍ସିପେକ୍ଟର ଓ ୨୫ ଜଣ ଏସ୍ଆଇ ଏବଂ ଏଏସ୍ଆଇଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications