ବନାଗ୍ନି ରୋକିବାକୁ ବ୍ୟାପକ ପ୍ରସ୍ତୁତି: କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ସହ ସାମିଲ ହେବେ ବିଭିନ୍ନ ବର୍ଗ
ରାଜ୍ୟର ଜଙ୍ଗଲ ଗୁଡିକରେ ଅଗ୍ନିକାଣ୍ଡକୁ ରୋକିବା ନିମନ୍ତେ ଥିବା ବ୍ୟବସ୍ଥାର ସୁଦୃଢ଼ିକରଣ କରାଯାଉଛି । ଏଥି ନିମନ୍ତେ ପ୍ରଶାସନିକ ଓ ଗୋଷ୍ଠୀ ସହଯୋଗିତାକୁ ଆହୁରି ବ୍ୟାପକ କରାଯିବ ।

ଭୁବନେଶ୍ୱର: ରାଜ୍ୟର ଜଙ୍ଗଲ ଗୁଡିକରେ ଅଗ୍ନିକାଣ୍ଡକୁ ରୋକିବା ନିମନ୍ତେ ଥିବା ବ୍ୟବସ୍ଥାର ସୁଦୃଢ଼ିକରଣ କରାଯାଉଛି । ଏଥି ନିମନ୍ତେ ପ୍ରଶାସନିକ ଓ ଗୋଷ୍ଠୀ ସହଯୋଗିତାକୁ ଆହୁରି ବ୍ୟାପକ କରାଯିବ । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଗତ ଜାନୁଆରୀ ମାସରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୧୪୭୬୦ଟି ଜଙ୍ଗଲ ସ୍ଥାନରେ ନିଆଁ ଲାଗିବାର ତଥ୍ୟ ରହିଥିବା ବେଳେ ସେଥି ମଧ୍ୟରୁ ୧୪୩୯୩ଟି ସ୍ଥାନରେ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ତୁରନ୍ତ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇଛନ୍ତି । ଓଡ଼ିଶା ଫରେଷ୍ଟ ମନିଟରିଂ ସିଷ୍ଟମ ସହ ପ୍ରାୟ ୮ ହଜାର ମୋବାଇଲ ଫୋନ ପଞ୍ଜିକରଣ କରାଯାଇଛି ଏବଂ ସେଗୁଡିକ କ୍ଷେତ୍ରସ୍ତରରେ କାର୍ଯ୍ୟକ୍ଷମ ରହିଛି । ଯାହାଦ୍ୱାରା ବନାଗ୍ନି ସଂପର୍କରେ ତୁରନ୍ତ ଖବର ମିଳିବା ସହ ନିୟନ୍ତ୍ରଣରେ ସହାୟକ ହୋଇପାରୁଛି । ଏପରିକି ରାଜ୍ୟର ୪୯ଟି ଜଙ୍ଗଲ ଉପଖଣ୍ଡରେ ୩୯୯ଟି ଅଗ୍ନି ପ୍ରତିରୋଧ ସ୍କ୍ୱାର୍ଡ ଗଠନ କରାଯାଇଛି ।
ବନାଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ବିଭାଗୀୟ ଦକ୍ଷତା ବୃଦ୍ଧି କରାଯିବ । ଏଥି ନିମନ୍ତେ ବିଭିନ୍ନ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ପାଲା, ଦାସକାଠିଆ,ଘୋଡାନାଚ ଏବଂ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ । ବନାଗ୍ନି ସଂପର୍କରେ ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଦେବା ଏବଂ ନିୟନ୍ତ୍ରଣରେ ସହଯୋଗ କରିବା ପାଇଁ ଏହି ଅଭିଯାନରେ ବିଭିନ୍ନ ସ୍ୱଚ୍ଛାସେବୀ ସଂସ୍ଥା, ସ୍ଥାନୀୟ ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସାମାଜିକ କର୍ମୀ ମାନଙ୍କୁ ସାମିଲ କରାଯିବ । ବନାଗ୍ନି କ୍ଷେତ୍ରରେ ବେଳେବେଳେ ବିଭିନ୍ନ ଖଳ ପ୍ରକୃତିର ବ୍ୟକ୍ତି ସାମିଲ ରହୁଥିବା ନଜର ଆସିଲେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ଜାନୁଆରୀରୁ ଜୁନ ମାସ ମଧ୍ୟମରେ ବନାଗ୍ନି ବ୍ୟାପକତା ଅଧିକ ଆଶଙ୍କା ରହିଥିବାରୁ ଅନୁଧ୍ୟାନ ପ୍ରକ୍ରିୟାକୁ ତୃଣମୂଳ ସ୍ତରରୁ ଦୃଢ଼ କରିବାକୁ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ଏପରିକି ବିଭିନ୍ନ ଡ଼ିଭିଜନ ଏବଂ ରାଜ୍ୟସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି ।
କ୍ଷେତ୍ରସ୍ତରରେ କାର୍ଯ୍ୟରତ କର୍ମଚାରୀ ଏବଂ ଏହି ଅଭିଯାନରେ ସାମିଲ ଥିବା ବ୍ୟକ୍ତିଙ୍କୁ ଆବଶ୍ୟକୀୟ ଉପକରଣ ଯୋଗାଇବା ସହ ସେମାନଙ୍କୁ ଅଧିକ ସଂଖ୍ୟକ ନିଆଁ ଲିଭା ଯନ୍ତ୍ର ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ, ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications