ପୋପ ଫ୍ରାନସିସଙ୍କ ବିୟୋଗରେ ରାଜ୍ୟରେ ପାଳନ ହେବ ୩ ଦିନିଆ ଶୋକ
ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ ଫ୍ରାନସିସଙ୍କ ବିୟୋଗରେ ରାଜ୍ୟ ୩ ଦିନିଆ ଶୋକ ପାଳନ ହେବ । ଆଜି ଓ ଆସନ୍ତାକାଲି ଶୋକ ଦିବସ ପାଳିବେ ରାଜ୍ୟ ସରକାର । ସେହିପରି ପୋପଙ୍କ ଶେଷକୃତ୍ୟ ଦିନ ବି ରାଜ୍ୟରେ ଶୋକ ପାଳିତ ହେବ ।
ଏ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଗତକାଲି ୮୮ ବର୍ଷ ବୟସରେ ଭାଟିକାନ ସିଟିରେ ପୋପ ଫ୍ରାନସିସଙ୍କ ନିଧନ ହୋଇଥିଲା । ୨୦୧୩ର ପୋପ ବେନେଡିକ୍ସ ଷୋଡ଼ଶ ଏହି ପବିତ୍ର ପଦବୀରୁ ଇସ୍ତଫା ଦେବା ପରେ ଜର୍ଜ ମାରିଓ ବର୍ଗୋଗ୍ଲିଓ(ପୋପ ଫ୍ରାନସିସ) ୨୬୬ ତମ ପୋପ ଭାବେ ମନୋନୀତ ହୋଇଥିଲେ । ରୋମାନ କ୍ୟାଥୋଲିକ ଚର୍ଚ୍ଚର ନେତୃତ୍ଵ ନେବାରେ ସେ ପ୍ରଥମ ଲାଟିନ ଆମେରିକୀୟ ଥିଲେ। ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି ।

ପୋପ୍ ଫ୍ରାନ୍ସିସ୍ଙ୍କ ମୃତ୍ୟୁ ଖବର ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି । ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ପୋପ୍ ଜୀବନର ସାରକୁ ନେଇ ତାଙ୍କ ଶେଷ ଟ୍ୱିଟ୍ରେ ଲେଖିଥିଲେ: ''ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ହୋଇଛି । ଏହି ଶବ୍ଦଗୁଡ଼ିକ ଆମ ଅସ୍ତିତ୍ୱର ସମଗ୍ର ଅର୍ଥକୁ ବହନ କରିଥାଏ, କାରଣ ଆମେ ମୃତ୍ୟୁ ପାଇଁ ନୁହେଁ, ବରଂ ଜୀବନ ପାଇଁ ଜନ୍ମ ହୋଇଥିଲୁ ।'' ପୋପ୍ ଫ୍ରାନ୍ସିସ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ସତ୍ତ୍ୱେ ରବିବାର ହ୍ୱିଲ୍ଚେୟାରରେ ଶ୍ରଦ୍ଧାଳୁଙ୍କ ସାମନାକୁ ଆସିଥିଲେ । ନିଜର ଶେଷ ବାର୍ତ୍ତାରେ ସେ ସ୍ୱାଧୀନତା ଓ ଶାନ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱ ଶାନ୍ତି ପାଇଁ ଧର୍ମ ଓ ଅଭିବ୍ୟକ୍ତିର ସ୍ୱାଧୀନତା ଜରୁରି ବୋଲି ସେ କହିଥିଲେ । ଡାକ୍ତରମାନେ ପୋପ୍ ଫ୍ରାନ୍ସିସ୍ଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ମଧ୍ୟ ସେ ଇଷ୍ଟର ରବିବାର ଆଶ୍ଚର୍ଯ୍ୟଜନକ ଭାବେ ସାର୍ବଜନୀନ ଦର୍ଶନ ଦେଇଥିଲେ । ସେ ସେଣ୍ଟ୍ ପିଟର୍ସ ଛକରେ ୩୫,୦୦୦ ଜନସମାଗମକୁ ହାତ ହଲାଇ ସ୍ବାଗତ କରିଥିଲେ ।












Click it and Unblock the Notifications