ଆଜିଠୁ ତିନିଦିନିଆ କୃଷି ଓଡ଼ିଶା-୨୦୨୫: ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଆଜିଠୁ କୃଷି ଓଡ଼ିଶା । ଓଡ଼ିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦ୍ୱାରା ଆସନ୍ତାକାଲି (ଶୁକ୍ରବାର)ଠାରୁ ତିନିଦିନବ୍ୟାପୀ 'କୃଷି ଓଡ଼ିଶା-୨୦୨୫' ବରମୁଣ୍ଡାସ୍ଥିତ ବିଜୁପଟ୍ଟନାୟକ ଖେଳପଡ଼ିଆରେ ଆୟୋଜିତ ହେବ । ଆଜି ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମେଳାର ଉଦ୍ଘାଟନ କରିବେ। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ପ୍ରଥମ ଦିନର ପ୍ରସଙ୍ଗ ରହିବ ଜଳବାୟୁ ଉପଯୋଗୀ ଖାଦ୍ୟ ପଦ୍ଧତି ଓ ଜଳବାୟୁ ତ୍ୱରିତ ଉଦ୍ୟାନକୃଷି । ଦ୍ୱିତୀୟ ଦିବସରେ ମୃତ୍ତିକା ସ୍ୱାସ୍ଥ୍ୟ, ପ୍ରାକୃତିକ କୃଷି ଓ ଏହାର ମୂଲ୍ୟଶୃଙ୍ଖଳା ଏବଂ ତୃତୀୟ ଦିବସରେ ପାଣି ପଞ୍ଚାୟତ ପକ୍ଷ ପାଳନ ସହିତ ଧାରାବାହିକ ଜଳସେଚନ ନୀତି ପ୍ରସଙ୍ଗରେ ଆଲୋଚନା କରାଯିବ । ଏହି ୩ ଦିନର କାର୍ଯ୍ୟକ୍ରମ ରାଜ୍ୟର ଯୁବବର୍ଗଙ୍କୁ କୃଷି, ଉଦ୍ୟାନକୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ନିଜର କ୍ୟାରିଅର ଗଢ଼ିବାକୁ ପ୍ରୋତ୍ସାହିତ କରିବ ବୋଲି ସରକାର ଆଶା ରଖିଛନ୍ତି।
କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦ ହଜାର କୃଷକ, କୃଷିଜୀବୀ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ଗୋଷ୍ଠୀ, ବେସରକାରୀ ଗୋଷ୍ଠୀ, ପାଣି ପଞ୍ଚାୟତ ସଭ୍ୟ, କୃଷି ଉଦ୍ୟୋଗୀ, ରପ୍ତାନୀକାରୀ, ଛାତ୍ରଛାତ୍ରୀ ଓ ଗବେଷକ ଅଂଶଗ୍ରହଣ କରିବେ। କୃଷକ ସମୃଦ୍ଧି କେନ୍ଦ୍ର, ଅନୁଭୂତି ଶିକ୍ଷା କେନ୍ଦ୍ର, କୃଷି ଯନ୍ତ୍ରପାତି ପ୍ରଦର୍ଶନ ସାଙ୍ଗକୁ ସେମିନାର୍ ଅନୁଷ୍ଠିତ ହେବ।

୨୦୦ରୁ ଅଧିକ ଷ୍ଟଲ୍ରେ ବିଭିନ୍ନ କୃଷିଜାତ ଦ୍ରବ୍ୟ ଓ କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହେବ। କାର୍ଯ୍ୟକ୍ରମରେ କୁଇଜ୍, ତର୍କ, ଗଳ୍ପ କଥନ, କବିତା ଆବୃତ୍ତି, ବ୍ୟଙ୍ଗ ପ୍ରତିଯୋଗିତା କରାଯିବା ସହିତ ଆଭାସୀ ଅନୁଭୂତି କେନ୍ଦ୍ର, କୃଷକ ସୁଗମ କେନ୍ଦ୍ର ଓ ପରୀକ୍ଷାମୂଳକ ଶିକ୍ଷାକେନ୍ଦ୍ରର ଆୟୋଜନ କରାଯାଇଛି। ୩୦ଟି ଜିଲ୍ଲାର କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ସଫଳ ପ୍ରଦର୍ଶନ କରିଥିବା କୃଷକ, କୃଷି ଉଦ୍ୟୋଗୀ, ସ୍ୱୟଂସହାୟକ ଗୋଷ୍ଠୀ ଓ କୃଷକ ଉତ୍ପାଦକ ସଂଗଠନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏନେଇ ଆଜି ବିଭାଗୀୟ ସଚିବ ଅରବିନ୍ଦ ପାଢ଼ୀ କୃଷି ଓଡ଼ିଶା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।












Click it and Unblock the Notifications