ନିର୍ଦ୍ଦିଷ୍ଟ ସମୟରେ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତଙ୍କୁ ମିଳିବ କ୍ଷତିପୂରଣ
ଅଦିନିଆ ବର୍ଷାରେ ଯଦି କୌଣସି ଚାଷୀଙ୍କ କ୍ଷୟକ୍ଷତି ହୁଏ, ତେବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତ୍ବରିତ ମିଳିବ କ୍ଷତିପୂରଣ। ମେ' ୨୭ରୁ ୩୦ ତାରିଖ ମଧ୍ୟରେ ହୋଇଥିବା ଲଘୁଚାପ ବର୍ଷାରେ କ୍ଷୟକ୍ଷତିର ସ୍ଥିତି ସମୀକ୍ଷା ବେଳେ ଏହି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏକ ସମୀକ୍ଷା ବୈଠକ ବସିଥିଲା। ଏଥିରେ ସମ୍ବଲପୁରରୁ ଯୋଡ଼ି ହୋଇଥିଲେ ରାଜସ୍ବ ମନ୍ତ୍ରୀ। ବୈଠକରେ ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଲଘୁଚାପର ଅବସ୍ଥା ଓ ଆଗାମୀ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ।

ମିଳିଥିବା ତଥ୍ୟ ଅନୁଯାୟୀ, ୨୭ ମେ'ରୁ ୩୦ ମେ' ମଧ୍ୟରେ ରାଜ୍ୟରେ ହାରାହାରି ୪୧.୯ ମିଲିମିଟର ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡା, କଳାହାଣ୍ଡି, ଜଗତସିଂହପୁର, କନ୍ଧମାଳ, ନବରଙ୍ଗପୁର, ଭଦ୍ରକ, ସୁବର୍ଣ୍ଣପୁର ଓ ରାୟଗଡାରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଅନ୍ୟ ୨୨ଟି ଜିଲ୍ଲାରେ ମଧ୍ୟ ୧୦ରୁ ୫୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏ ନେଇ ରାଜସ୍ବ ମନ୍ତ୍ରୀ କହିଛନ୍ତି, ଚାଷୀ ଓ ବର୍ଷା ପବନରେ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ନିଶ୍ଚିତ କ୍ଷତିପୂରଣ ଦିଆଯିବ। ଜିଲ୍ଲାପାଳମାନେ ଖୁବଶୀଘ୍ର କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିବା ପରେ ସରକାର ତୁରନ୍ତ ବିହିତ ପଦକ୍ଷେପ ନେବେ।












Click it and Unblock the Notifications