ଏହି ୩ ଜିଲ୍ଲାରେ ଦାନାର ଅଧିକ ପ୍ରଭାବ
ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା 'ଦାନା'। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି । ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ତେବେ ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇ ସାରିଲାଣି । ଆଗକୁ ଏହି ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ତେବେ ବାତ୍ୟାରେ ବିଶେଷ କରି ୩ଟି ଜିଲ୍ଲା ଅଧିକ ପ୍ରଭାବିତ ହେବ । କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ 'ଦାନା'ର ଅଧିକ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି ।
ବାତ୍ୟାର ଲ୍ୟାଣ୍ଡଫଲ ପରେ ଏହି ୩ଟି ଜିଲ୍ଲାରେ ପବନର ବେଗ ୧୦୦-୧୨୦ କିଲୋମିଟର ରହିପାରେ । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି । ତେବେ ମୟୁରଭଞ୍ଜରେ ପବନର ବେଗ ସାମାନ୍ୟ କମ୍ ରହିପାରେ । ବାତ୍ୟା 'ଦାନା' ସ୍ଥଳଭାଗ ଆଡ଼କୁ ମାଡ଼ିବାବେଳେ ଉଠିବ ଉଚ୍ଚ ଜୁଆର । ୨ ମିଟର ପାଖାପାଖି ଉଠିପାରେ ସମୁଦ୍ର ଜୁଆର । ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସନ୍ ଇନଫରମେସନ ପୂର୍ବାନୁମାନ ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାର ସୁରଭିଠାରେ ସମୁଦ୍ରରେ ୦.୨ ମିଟରରୁ ୧ ମିଟର ଉଚ୍ଚତା ଜୁଆର ଉଠିପାରେ ।

ଗହିରମଥାକୁ ଲାଗି କରିଥିବା ସୁରଭିରେ ୩.୦୧ କିମି ଦୂରତା ଯାଏଁ ସମୁଦ୍ର ଜୁଆର ମାଡ଼ି ଆସିପାରେ । ଏହା ଜନବସତି ଅଞ୍ଚଳ ହୋଇନଥିବାରୁ ବିଶେଷ କ୍ଷୟକ୍ଷତି ନ ହୋଇପାରେ । ଭଦ୍ରକରେ ବାସୁଦେବପୁର ନିକଟସ୍ଥ ସମୁଦ୍ର ତଟବର୍ତ୍ତୀ ମୋହନପୁରରେ ସମୁଦ୍ରରେ ୦.୮ ମିଟରରୁ ୧.୯ ମିଟର ଉଚ୍ଚ ଜୁଆର ଉଠିବା ସମ୍ଭାବନା ଅଛି । ୧.୨୪ କିମି ଦୂରତା ଯାଏଁ ଏହି ଲୁଣି ପାଣି ମାଡ଼ି ଯାଇପାରେ । ବାଲେଶ୍ୱର ଡଗରା ବେଳାଭୂମି ପାଖ କୁମ୍ଭୀରଗଡ଼ିରେ ୦.୪ ମିଟରରୁ ୧.୯ ମିଟର ଉଚ୍ଚର ଲୁଣା ପାଣି ଉଠିବା ସହ ମାଡ଼ି ଯାଇପାରେ ୧.୦୮ କିମି ଦୂରତା ପର୍ଯ୍ୟନ୍ତ ।












Click it and Unblock the Notifications