ଓଡ଼ିଶାରେ ଅଛନ୍ତି ୩୦ ବାଘ, ପ୍ରକାଶ ପାଇଲା ରିପୋର୍ଟ
ପ୍ରକାଶ ପାଇଲା ଓଡ଼ିଶାରେ ବାଘ ସଂଖ୍ୟା । ଏବେ ରାଜ୍ୟରେ ୩୦ଟି ମହାବଳ ରହିଥିବା ସୋମବାର ପ୍ରକାଶିତ ବାଘ ଗଣନା ରିପୋର୍ଟରୁ ଜଣାପଡ଼ିଛି।ରାଜ୍ୟରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରେ ଏକବର୍ଷରୁ କମ୍ ବୟସର ୮ଟି ଶାବକ ରହିଛନ୍ତି। ତେବେ ୨୭ଟି ବାଘକୁ କ୍ୟାମେରା ଟ୍ରାପ୍ରେ ଠାବ କରାଯାଇଥିବାବେଳେ ଶିମିଳିପାଳରେ ଆଉ ୩ଟି ବାଘର ଉପସ୍ଥିତି ଥିବା ପ୍ରମାଣ ମିଳିଛି। ଏହି ୩ଟି ବାଘକୁ ମିଶାଇ କେବଳ ଶିମିଳିପାଳରେ ୨୭ଟି ବାଘ ରହିଛନ୍ତି। ଏଥିମଧ୍ୟରୁ ୧୪ଟି ମାଈ ଓ ୧୦ଟି ଅଣ୍ଡିରା ହୋଇଥିବାବେଳେ ବାକି ୩ଟି ସମ୍ପର୍କରେ ତଥ୍ୟ ମିଳିପାରିନାହିଁ।

ସେହିଭଳି କେନ୍ଦୁଝର ଟେରିଟୋରିଆଲ ଓ କେନ୍ଦୁଝର ଓ୍ବାଇଲ୍ଡଲାଇଫ୍, ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଏବଂ ପାରଳାଖେମୁଣ୍ଡି ଟେରିଟୋରିଆଲରେ ଗୋଟିଏ ଲେଖାଏ ଅଣ୍ଡିରା ବାଘ ଦେଖାଯାଇଛି। ତେବେ କ୍ୟାମେରା ଟ୍ରାପ୍ରେ ଠାବ ହୋଇଥିବା ୨୭ ବାଘ ମଧ୍ୟରୁ ୧୪ଟି ମାଈ, ୧୩ଟି ଅଣ୍ଡିରା ବାଘ ରହିଛନ୍ତି। ସେହିଭଳି ୧୩ଟି ମେଲାନିଷ୍ଟିକ ବା କଳାବାଘ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। କେବଳ ଶିମିଳିପାଳରେ ଦେଖାଯାଇଥିବା ଏହି ୧୩ଟି କଳାବାଘ ମଧ୍ୟରେ ୭ଟି ମାଈ ଓ ୬ଟି ଅଣ୍ଡିରା ରହିଥିବା ସୂଚନା ଦିଆଯାଇଛି।
ରାଜ୍ୟରେ ୮ଟି ବାଘଛୁଆ ସମେତ ମୋଟ ୩୦ଟି ବାଘ ରହିଛନ୍ତି। ୨୦୨୨ରେ ଏହା ୨୦ ଥିଲା, ଯାହା ଏବେ ବୃଦ୍ଧି ପାଇ ୩୦ରେ ପହଞ୍ଚତ୍ଛି। ସେହିଭଳି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ୨୭ଟି ବାଘ ରହିଛି। ଆମ ଜାତୀୟ ପ୍ରାଣୀଙ୍କ ପାଇଁ ଉପଯୁକ୍ତ ବାସସ୍ଥାନ ସୃଷ୍ଟି କରିଥିବାରୁ ବନ ବିଭାଗର ପ୍ରୟାସକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୨ରେ ଭାରତ ସରକାରଙ୍କ ପକ୍ଷରୁ ହୋଇଥିବା ବାଘ ଗଣନାରେ ଓଡ଼ିଶାରେ ୧୭ଟି ବାଘ ଥିବା ଜଣାପଡ଼ିଥିଲା। ତେବେ ରାଜ୍ୟରେ ଅଧିକ ବାଘ ରହିଥିବା ରାଜ୍ୟ ସରକାର ଦାବି କରିବା ସହ ନିଜ ଉଦ୍ୟମରେ ବାଘ ଗଣନା କରିବେ ବୋଲି କହିଥିଲେ। ଏହାପରେ ରାଜ୍ୟ ସରକାର ପ୍ରଥମଥର ପାଇଁ ବାଘ ଗଣନା କରିଥିଲେ। ୨୦୨୩ ଅକ୍ଟୋବର ୧୫ରୁ ଫେବୃଆରୀ ୧୦ ମଧ୍ୟରେ ରାଜ୍ୟର ୪୭ଟି ବନଖଣ୍ଡରେ ଏହି ଗଣନା କରାଯାଇଥିଲା।












Click it and Unblock the Notifications