ଆରପାରିରେ ଓଡ଼ିଶା ନାଟ୍ୟ ଜଗତର ଅନ୍ୟତମ ବିଶିଷ୍ଟ ବ୍ୟକ୍ତିତ୍ବ ସଚ୍ଚି ଦାସ, ୯୧ ବର୍ଷ ବୟସରେ ଗଲା ଜୀବନ
ଆରପାରିରେ ସଚ୍ଚି ଦାସ । ଓଡ଼ିଶା ନାଟ୍ୟ ଜଗତର ଅନ୍ୟତମ ବିଶିଷ୍ଟ ବ୍ୟକ୍ତିତ୍ବ ସଚ୍ଚି ଦାସଙ୍କର ୯୧ ବର୍ଷ ବୟସରେ ହୃଦ୍ଘାତରେ ପରଲୋକ ଘଟିଛି । କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଗତକାଲି ମୃତ୍ୟୁ ଘଟିଛି ।
୨୦୧୫-୧୬ରେ ନାଟ୍ୟକଳା କ୍ଷେତ୍ରରେ ଆଜୀବନ ସାଧନା ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ପୁରସ୍କାର 'କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ' ସମ୍ମାନରେ ସେ ସମ୍ମାନିତ ହୋଇଥିଲେ । ୨୦୧୮ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲା।
ତାଙ୍କ ବିୟୋଗରେ ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତି ତଥା କଳାକାର ଶୋକ ପ୍ରକାଶ କରିଛନ୍ତି । ସେ ୧୯୩୪ ମସିହା ଅକ୍ଟୋବର ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ବାପା ଭଗୀରଥ ଦାସ ଓ ମାଆ ପ୍ରିୟମ୍ବଦା ଦେବୀ ଥିଲେ ସ୍ବାଧୀନତା ସଂଗ୍ରାମୀ। ପିଲାବେଳୁ କଳା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିଲା।

ଯାତ୍ରା ଇତିହାସରେ ସଫଳତାର ମାଇଲଖୁଣ୍ଟ ସ୍ଥାପନ କରିଥିବା ନାଟକ 'ଶାଗୁଣା ବସିଛି ଡେଣା ମେଲାଇ'ର ସେ ଥିଲେ ନିର୍ଦ୍ଦେଶକ। ସେ ୫୦୦ରୁ ଉର୍ଦ୍ଧ୍ୱ ଯାତ୍ରା ନାଟକର ନିର୍ଦ୍ଦେଶନା ଦେଇଛନ୍ତି, ତାଙ୍କ ନିର୍ଦ୍ଦେଶିତ ମଞ୍ଚ ନାଟକ ମଧ୍ୟ ୧୦୦ରୁ ଅଧିକ। କେବଳ ସେତିକି ନୁହେଁ, ସେ ୪୦୦ରୁ ଅଧିକ ଯାତ୍ରା ଓ ନାଟକର ସ୍ରଷ୍ଟା ମଧ୍ୟ।
ତାଙ୍କ ମରଶରୀରକୁ କଟକରୁ ଭୁବନେଶ୍ବରର ରବୀନ୍ଦ୍ରମଣ୍ଡପକୁ ଅଣାଯାଇଥିଲା। ସେଠାରୁ ପୈତୃକ ଗାଁ ଯାଜପୁର ଜିଲ୍ଲା ବରୀର ରମ୍ପା ପଞ୍ଚାୟତସ୍ଥ ଆନନ୍ଦପୁରକୁ ନିଆଯିବା ପରେ ସେଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।












Click it and Unblock the Notifications