‘ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ହେବ ସବୁଠାରୁ ବଡ଼ ବ୍ୟବସାୟିକ ସମ୍ମିଳନୀ; ପ୍ରଧାନମନ୍ତ୍ରୀ
ଭୁବନେଶ୍ବର ଜନତା ମଇଦାନରେ ଉଦ୍ଘାାଟିତ ହୋଇଯାଇଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆଜି ଉଦଘାଟନ କରିଛନ୍ତି।

'ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା' ସମ୍ମେଳନ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରି କହିଛନ୍ତି ଯେ ଭାରତ ଆଜି ଦ୍ରୁତ ଗତିରେ ଅଗ୍ରସର ହେଉଛି। ଖୁବ ଶୀଘ୍ର ଦେଶ ୫ ଟ୍ରିଲିୟନ ଅର୍ଥ ସମୃଦ୍ଧ ରାଷ୍ଟ୍ର ହେବ। ଓଡ଼ିଶାରେ ଅନେକ ପ୍ରକାର ପ୍ରାକୃତିକ ସମ୍ପଦ ଭରି ରହିଛି। ଆମକୁ ଚାହିଦା ଅନୁସାରେ ବଦଳିବାକୁ ହେବ ଓ ଚାଲିବାକୁ ହେବ। ଓଡ଼ିଶାରେ ବହୁତ ସାରା ସମ୍ଭାବନା ରହିଛି। ଓଡ଼ିଶା ଖୁବ ଶୀଘ୍ର ଉତ୍କର୍ଷ ଛୁଇଁବ।
ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ ଓଡ଼ିଶାରେ ଏହା ସବୁଠାରୁ ବଡ଼ ବ୍ୟବସାୟିକ ସମ୍ମିଳନୀ। ବିକଶିତ ଭାରତ ନିର୍ମାଣରେ ପୂର୍ବ ଭାରତର ଯୋଗଦାନ ବହୁତ ରହିଛି। ଦକ୍ଷିଣପୂର୍ବ ଭାରତ ସହ ଓଡ଼ିଶାର ସମ୍ପର୍କ ବହୁ ପୁରଣା। ସିଙ୍ଗାପୁର ରାଷ୍ଟ୍ରପତି ମଧ୍ୟ ନିକଟରେ ଆସି ସମ୍ଭାବନା ଉଜ୍ଜ୍ୱଳ କରିଛନ୍ତି। ବର୍ତ୍ତମାନ ଏଆଇ ଯୁଗ, ମାତ୍ର ଭାରତ ପାଇଁ ଏହା ଆସ୍ପେରେସନ ଇଣ୍ଡିଆ। ଓଡ଼ିଶା ଏହି ଆସ୍ପେରେସନକୁ ପ୍ରତିନିଧିତ୍ୱ କରୁଛି। ଓଡ଼ିଶା ବହୁତ ଶୀଘ୍ର ଉଚ୍ଚରେ ପହଞ୍ଚିବ, ଯାହା କେହି କଳ୍ପନା କରିନଥିବେ। ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଓ ସହାୟତା ଯୋଗାଇ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ଉତ୍କର୍ଷ ଓଡ଼ିଶା' ଗ୍ୟାଲେରୀ ବୁଲି ଦେଖିଥିଲେ।
ସ୍ୱାଗତ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ସିଙ୍ଗିଲ ୱିଣ୍ଡୋ ଜରିଆରେ ପ୍ରତିବନ୍ଧକ ଦୂର କରିଛୁ। ମୁଁ ଆପଣମାନଙ୍କୁ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରୁଛି। ପ୍ରଧାନମନ୍ତ୍ରୀ ଭାରତକୁ ତୃତୀୟ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର କରିବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଆମେ ମଧ୍ୟ ସାମିଲ ହେବାକୁ ଯାଉଛୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
'ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା' ଉଦଘାଟନ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।












Click it and Unblock the Notifications