ଶ୍ରୀମନ୍ଦିରରେ ୪ଦିନ ଧରି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି
ମକରସଂକ୍ରାନ୍ତି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଆସନ୍ତା ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି । ଏନେଇ ଶୁକ୍ରବାର ସୂଚନା ଦେଇଛି ଶ୍ରୀମନ୍ଦିର କାର୍ଯ୍ୟାଳୟ । ଆସନ୍ତା ୧୬ ତାରିଖାରୁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ ।

ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗତ ମାସ ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇଛି । ପହଲି ଭୋଗ ନୀତି ଚାଲିଥିବାରୁ ପ୍ରତିଦିନ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଖୋଲି ଦ୍ୱିତୀୟ ଭୋଗମଣ୍ଡପ ଦିନ ସାଢ଼େ ୧୨ଟା ସୁଦ୍ଧା ସାରିବାକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରସ୍ତୁତି କରିଥିଲା । ହେଲେ ନିର୍ଦ୍ଧାରିତ ସମୟରେ ନା ନୀତିକ୍ରାନ୍ତି ଆରମ୍ଭ ହୋଇପାରୁଛି ନା ସରିପାରୁଛି ।
ତେଣୁ ଦୈନିକ ଦିନ ସାଢ଼େ ୧୨ଟାଠାରୁ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ପର୍ଯ୍ୟନ୍ତ ଏଏସ୍ଆଇକୁ ରତ୍ନଭଣ୍ଡାର ମରାମତି ନିମନ୍ତେ ସମୟ ଦେବାକୁ ହୋଇଥିବା ନିଷ୍ପତ୍ତି ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନି । ପ୍ରତ୍ୟେକ ଦିନ ପ୍ରାୟ ଘଣ୍ଟାଏରୁ ୨ ଘଣ୍ଟା ସମୟ ମିଳୁଥିବାରୁ ଏଏସ୍ଆଇର ଶ୍ରମିକମାନେ ପର୍ଯ୍ୟାପ୍ତ ସମୟ ମରାମତି ଓ ସଂରକ୍ଷଣ ନିମନ୍ତେ ପାଉନାହାନ୍ତି । ନୂଆବର୍ଷ ପୂର୍ବରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାର କାମକୁ ୮ ଦିନ ନିମନ୍ତେ ବନ୍ଦ କରାଯାଇଥିଲା ।












Click it and Unblock the Notifications