ରଥଯାତ୍ରାର ରହସ୍ୟ ! ଜାଣନ୍ତୁ କେମିତି ଆରମ୍ଭ ହେଲା ଓ କ’ଣ ରହିଛି ପୁରାଣ ମାନ୍ୟତା
ରଥଯାତ୍ରା ଜଗନ୍ନାଥ ସଂସ୍କୃତିର ଅନନ୍ୟ ପର୍ବ । ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଏଥିପାଇଁ ବଡ଼ଦାଣ୍ଡରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ । ପୁରୀ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ରଥଯାତ୍ରା ତଥା ଗୁଣ୍ଡିଚା ଯାତ୍ରା ଅନ୍ୟତମ। କେଉଁ ଅନାଦି କାଳୁ ଚାଲି ଆସିଛି ଏହି ଯାତ୍ରା। ତେବେ ରଥଯାତ୍ରା ସହ ଅନେକ ମାନ୍ୟତା ଜଡିତ ରହିଛି । ପୋଥି ପୁରାଣ ରଚନା ଓ ବିଶାଦରେ ରଥଯାତ୍ରାକୁ ନେଇ ଭିନ୍ନ ଭିନ୍ନ ବର୍ଣ୍ଣନା କରାଯାଇଛି । ତେବେ ଆଜି ଆମେ ରଥଯାତ୍ରାର ଇତିହାସ ପୃଷ୍ଠାରୁ କିଛି ରୋଚକ ତଥ୍ୟ ଆପଣଙ୍କ ସାମନାରେ ରଖିବୁ, ଯାହା ଜଣେ ଓଡିଆ ହିସାବରେ ଆପଣ ବି ଜାଣିବା ଉଚିତ୍ । ଆସନ୍ତୁ ଜାଣିବା କେମିତି ଆରମ୍ଭ ହୋଇଥିଲା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏବଂ କଣ ରହିଛି ଏହାର ଇତିହାସ .....
ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ ବିଶ୍ୱକର୍ମା । ସର୍ତ୍ତ ଥିଲା ମୂର୍ତ୍ତି ନିର୍ମାଣ ସେ ଏକାନ୍ତରେ ହିଁ କରିବେ। ତାଙ୍କ କାର୍ୟ୍ୟଶାଳାର ଦ୍ୱାରା ବନ୍ଦ ରହିବ। ଯଦି ନିର୍ମାଣ ପୂର୍ବରୁ କେହି ଭୁଲରେ ବି ଦ୍ୱାର ଖୋଲିଦିଏ ତେବେ ସେ ମୂର୍ତ୍ତି ନିର୍ମାଣ କାର୍ୟ୍ୟ ଅଧାରେ ହିଁ ରହିବ। ରାଜା ସର୍ତ୍ତ ମାନିନେଲେ । ବିଶ୍ୱକର୍ମା ଗୁଡିଜା ନାମକ ସ୍ଥାନରେ ମୂର୍ତ୍ତି ନିର୍ମାଣ କାର୍ୟ୍ୟ ଆରମ୍ଭ କରିଦେଲେ । କିନ୍ତୁ ନିର୍ଧାରିତ ସମୟ ଅତିବାହିତ ହେବା ଏବଂ ନିର୍ମାଣକକ୍ଷ୍ୟର ଦ୍ୱାର ନ ଖୋଲିବାରୁ ରାଜା ଚିନ୍ତିତ ହୋଇପଡିଲେ । ତେଣୁ ଅନିଚ୍ଛା ସତ୍ୱେ ସେ ଦ୍ୱାର ଖୋଲିବାକୁ ବାଧ୍ୟ ହୋଇଥିଲେ । ହେଲେ ସେତେବେଳେ ନିର୍ମାଣ କାର୍ୟ୍ୟ ଶେଷ ହୋଇନଥିଲା। ସେଠାରେ ରାଜାଙ୍କୁ ଦେଖି ବିଶ୍ୱକର୍ମା ଅନ୍ତର୍ଦ୍ଧ୍ୟାନ ହୋଇଗଲେ । ଆଉ ଅଧାରେ ରହିଗଲା ଭଗବାନ୍ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ମୂର୍ତ୍ତି ନିର୍ମାଣ ।

ଠିକ୍ ସେତିକି ବେଳେ ଆକାଶବାଣୀ ହୋଇଥିଲା ଭଗବାନ୍ ଏହି ରୂପରେ ହିଁ ସ୍ଥାପିତ ହେବା ଉଚିତ୍ । ଏହା ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ଏକ ବିଶାଳ ଭବ୍ୟ ମନ୍ଦିର ତିଆରି କରି ତିନି ମୂର୍ତ୍ତିକୁ ସେଠାରେ ସ୍ଥାପନା କରିଥିଲେ । ସାଥୀରେ ଏକଥା ମଧ୍ୟ ଆକାଶବାଣୀ ହେଲା ଯେ ଭଗବାନ୍ ନିଜ ଜନ୍ମଭୂମିକୁ ବର୍ଷରେ ଥରେ ନିଶ୍ଚିତ ଯିବେ । ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡ ଅନୁସାରେ, ରାଜା ଇନ୍ଦ୍ରଦ୍ୟୁମ୍ନ ଆଷାଢ ମାସର ଶୁକ୍ଲପକ୍ଷ ଦ୍ଵିତୀୟାରେ ପ୍ରଭୁଙ୍କୁ ନିଜ ଜନ୍ମଭୂମିକୁ ନେବା ପାଇଁ ବ୍ୟବସ୍ଥା କଲେ । ସେବେଠାରୁ ଏହି ପରମ୍ପରା ରଥଯାତ୍ରା ନାଁରେ ପ୍ରଚଳିତ ହୋଇ ଆସୁଛି । ସେହିପରି ଆଉ ଏକ କଥା ଅନୁସାରେ, ସୁଭଦ୍ରାଙ୍କ ଦ୍ୱାରକା ଦର୍ଶନ ଇଛାକୁ ପୁରା କରିବାକୁ ଯାଇ ଶ୍ରୀକୃଷ୍ଣ ଏବଂ ବଳରାମ ଅଲଗା ଅଲଗା ରଥରେ ଯାତ୍ରା କରିଥିଲେ । ସୁଭଦ୍ରାଙ୍କ ନଗର ଯାତ୍ରାର ସ୍ମୃତିରେ ହିଁ ଏହି ରଥଯାତ୍ରା ପ୍ରତିବର୍ଷ ପାଳିତ ହେଉଛି ।
୧୬ଶ ଶତାବ୍ଦୀରେ ରଚିତ କପିଳ ସଂହିତାରେ ମହାପ୍ରଭୁ ଜଗନ୍ନାଥ ନିଜେ ରତ୍ନ ସିଂହାସନ ତ୍ୟାଗ କରି ନିଜ ଭକ୍ତ ମାନଙ୍କୁ ସକଳ ପାପ ତାପରୁ ମୁକ୍ତି ଦେବାକୁ ରଥରେ ବସି ବଡ ଦାଣ୍ଡରେ ବିଜେ କରିବାର ପ୍ରତିଶୃତି ଦେଇଥିଲେ । ତେଣୁ ଏହା ମହାପ୍ରଭୁଙ୍କ ନିଜ ଇଚ୍ଛାର ଯାତ୍ରା କୁହାଯାଏ। ଏହି ଯାତ୍ରାରେ ଭକ୍ତର ଭୁମିକା ସବୁଠୁ ଆଗରେ । ତେଣୁ ଏହାକୁ ନବଦିନାତ୍ମକ ପତିତପାବନ ଯାତ୍ରା ବୋଲି ମଧ୍ୟ କୁହାଯାଏ।
ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି। ଋକ୍ ବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ହୋଇଥିବା ମଧ୍ୟ ଦେଖାଯାଏ । ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାଦ୍ଦୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ୟ୍ୟକୁ ଅନୁଧ୍ୟାନ କଲେ ସୂର୍ୟ୍ୟଙ୍କ ରଥଯାତ୍ରାର ସମ୍ୟକ୍ ନିଦର୍ଶନ ମିଳିଥାଏ । ତେଣୁ ସୂର୍ୟ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା।












Click it and Unblock the Notifications