ସବୁ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା ବିଧାନସଭାର ବିଧାୟକଙ୍କ ଦରମା, ପଛରେ ରହିଲେ ଏହି ସବୁ....
ବିଧାୟକଙ୍କ ଦରମାରେ ଓଡିଶା ୧ ନମ୍ବର । ବିଧାୟକଙ୍କ ଦରମା କ୍ଷେତ୍ରରେ ସମଗ୍ର ଦେଶରେ ୨୭ ନମ୍ବର ସ୍ଥାନରେ ଥିବା ଓଡିଶା ଏବେ ୧ ନମ୍ବର ସ୍ଥାନରେ । ମଙ୍ଗଳବାର ବିଧାନସଭାରେ ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ ୨୦୨୫ ଗୃହରେ ପାରିତ ହୋଇଛି । ପାରିତ ବିଲ୍ ଅନୁଯାୟୀ ଏଣିକି ବିଧାୟକଙ୍କ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ମିଶାଇ ପହଞ୍ଚିଛି ସାଢେ ତିନି ଲକ୍ଷରେ। ତେବେ ଦେଶରେ ବିଧାୟକଙ୍କୁ ସବୁଠାରୁ ଅଧିକ ଦରମା ଦେଉଥିବା ରାଜ୍ୟ ଥିଲା ଝାରଖଣ୍ଡ । ଝାଡ଼ଖଣ୍ଡର ବିଧାୟକ ୨ ଲକ୍ଷ ୮୮ ହଜାର ଟଙ୍କା ଦରମା ପାଉଛନ୍ତି ।

ନଜର ପକାନ୍ତୁ ଅନ୍ୟ ରାଜ୍ୟରେ କେତେ ଟଙ୍କା ଦରମା ପାଆନ୍ତି ଜନପ୍ରତିନିଧିମାନେ । ମହାରାଷ୍ଟ୍ର ୨ ଲକ୍ଷ ୮୮ ହଜାର, ତେଲେଙ୍ଗାନା ଓ ମଣିପୁର ବିଧାୟକମାନେ ପାଇଥାନ୍ତି ୨ ଲକ୍ଷ ୫୦ ହଜାର ଟଙ୍କା । ହିମାଚଳ ପ୍ରଦେଶରେ ୨ ଲକ୍ଷ ୧୦ ହଜାର, କର୍ଣ୍ଣାଟକରେ ୨ ଲକ୍ଷ ୫ ହଜାର ଟଙ୍କା ଦରମା ପାଆନ୍ତି ବିଧାୟକ। କେରଳର ପ୍ରତି ବିଧାୟକ ପାଖାପାଖି ୭୦ ହଜାର ଟଙ୍କା ଦରମା ପାଉଛନ୍ତି । ଆଉ ଦିଲ୍ଲୀର ବିଧାୟକମାନେ ଦ୍ୱିତୀୟ ସର୍ବନିମ୍ନ ୯୦ ହଜାର ଟଙ୍କା ଦରମା ପାଉଛନ୍ତି ।
ତେବେ ଦୀର୍ଘ ଦିନ ଧରି ଓଡ଼ିଶା ବିଧାନସଭାରେ ବିଧାୟକମାନେ ନିଜର ଦରମା ବଢ଼ାଇବାକୁ ଦାବି କରି ଆସୁଥିଲେ । ଯାହାକୁ କି ସରକାର ଏବେ ମୋହର ମାରିଛନ୍ତି । ମଙ୍ଗଳବାର ଶୀତ ଅଧିବେଶନ ସରିବା ପୂର୍ବରୁ ବିଧାନସଭା ଜନପ୍ରତିନିଧି ଭତ୍ତା ଓ ପେନସନ୍ ବିଲ୍ ୨୦୨୫ ପାରିତ ହୋଇଛି। ଯାହାପରେ ଆନୁସଙ୍ଗିକ ସୁବିଧାକୁ ମିଶାଇ ବିଧାୟକଙ୍କ ଦରମା ଏକାଥରକେ ପ୍ରାୟ ୩ ଲକ୍ଷ ଟପିଛି । ନଜର ପକାନ୍ତୁ କେଉଁ ସୁବିଧା ବାବଦକୁ କେତେ ଟଙ୍କା ପାଇବେ ବିଧାୟକ?
ବିଧାୟକଙ୍କ ମୂଳ ଦରମା ୩୫ ହଜାରରୁ ବଢି ୯୦ ହଜାର ହୋଇଛି
ବ୍ୟୟ ଭତ୍ତା ବାବଦ ୪୦ ହଜାରରୁ ୯୬ ହଜାରକୁ ବୃଦ୍ଧି ପାଇଛି
ନିର୍ବାଚନମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ବିଧାୟକଙ୍କୁ ମିଳିବ ୭୫ ହଜାର ଟଙ୍କା
କମିଟି ବୈଠକ ବାବଦକୁ ୩୦୦୦, ରାଜ୍ୟ ବାହାରେ ବୈଠକ ପାଇଁ ୧୦ ହଜାର ଟଙ୍କା
ମାସିକ ଯାନ ବାହନ ଭତ୍ତା ବାବଦକୁ ୫୦ ହଜାର ଟଙ୍କା ଦିଆଯିବ
ବିଧାୟକଙ୍କୁ ବିଦ୍ୟୁତ ଦେୟ ୨୦ ହଜାର, ଚିକିତ୍ସା ଖର୍ଚ୍ଚ ୩୫ ହଜାର ଟଙ୍କା ମିଳିବ
ବାସଭବନ ମିଳିନଥିଲେ, ରହଣି ପାଇଁ ଦୈନିକ ୨ ହଜାର ଟଙ୍କା ମିଳିବ
ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପାଇବା ପରେ ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏଣିକି କେତେ ଟଙ୍କା ଦରମା ପାଇବେ । ମୁଖ୍ୟମନ୍ତ୍ରୀ ଏଣିକି ଦରମା ସହ ଅନ୍ୟାନ୍ୟ ଭତ୍ତା ମିଶାଇ ପାଇବେ ୩ ଲକ୍ଷ ୭୪ ହଜାର ଟଙ୍କା, ବିଧାୟକମାନେ ୩ ଲକ୍ଷ ୪୫ ହଜାର, ବାଚସ୍ପତି ଓ ଉପ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୬୮ ହଜାର, ଉପ ବାଚସ୍ପତି ଓ ଉପ ରାଷ୍ଟ୍ରମନ୍ତ୍ରୀ ୩ ଲକ୍ଷ ୫୬ ହଜାର ଟଙ୍କା । ସେହିଭଳି କ୍ୟାବିନେଟ ମନ୍ତ୍ରୀ, ବିରୋଧୀ ଦଳ ନେତା, ସରକାରୀ ଉପ ମୁଖ୍ୟ ସଚେତକ ୩ ଲକ୍ଷ ୬୨ ହଜାର ଦରମା ପାଇବେ । ଉପ ମୁଖ୍ୟ ସଚେତକ ୩ ଲକ୍ଷ ୫୦ ହଜାର ଟଙ୍କା ଦରମା ପାଇବେ । ଦରମା ବୃଦ୍ଧି ନେଇ ତିନି ଦଳର ସଦସ୍ୟ ସ୍ୱାଗତ କରିଛନ୍ତି ଏବଂ ଏହାଦ୍ୱାରା ପୂର୍ବତନ ଜନପ୍ରତିନିଧିମାନଙ୍କ ପାଇଁ ବେଶ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି...
ଶେଷ ଥର ପାଇଁ ୨୦୧୭ ମସିହାରେ ବିଧାୟକଙ୍କ ଦରମା ସଂଶୋଧିତ ହୋଇଥିଲା । ସଂଶୋଧନ ଅନୁଯାୟୀ ବିଧାୟକମାନେ ମୂଳ ଦରମା ବାବଦକୁ ମାସିକ ୩୫ ହଜାର ଟଙ୍କା ପାଉଥିଲେ ଏବଂ ଭତ୍ତା ମିଶାଇଲେ ତାହା ମାସିକ ପାଖାପାଖି ଏକ ଲକ୍ଷ ଟଙ୍କା ହେଉଥିଲା।












Click it and Unblock the Notifications